ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସକୁ ମିଳିଛି ଏକ ବଡ ସଫଳତା । ଦିନ ଦ୍ୱିପହରରେ ଲୁଟ୍ ହୋଇଥିବା ରୂପା ଅଳଙ୍କାର ଜବତ ହେବା ସହ ଜଣେ ମାଷ୍ଟର ମାଇଣ୍ଡ ଲୁଟେରାକୁ ବାଲିଗୁଡା ପୋଲିସ ଗିରଫ କରିଛି । ଏ ନେଇ ବାଲିଗୁଡା ଥାନରେ ବାଲିଗୁଡା ଏସ୍ଡ଼ିପିଓ ରାହୁଲ ଗୋଏଲ୍ ଏହି ଲୁଟ୍ର ବିସ୍ତୃତ ସୂଚନା ଦେଇଛନ୍ତି । ଲୁଟେରା ମାଷ୍ଟର ମାଇଣ୍ଡ ଜଣକ ଗଞ୍ଜାମ ଜିଲ୍ଲାର ଆସ୍କା ଥାନା ଥାନା ଅଞ୍ଚଳର ବୋଲି ପୋଲିସ କହିବା ସହ ତା ନିକଟରୁ ଚୋରି ହୋଇଥିବା ୭ କିଲୋ ଗ୍ରାମ ରୂପା ଅଳଙ୍କାର ଜବତ ହୋଇଛି । ଏହି ଲୁଟର ମାଷ୍ଟର ମାଇଣ୍ଡ ଜଣକ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ତା ନାମରେ ବିଭିନ୍ନ ଜିଲ୍ଲାରେ ଲୁଟ୍ ଅଭିଯୋଗରେ ଅନେକ ମାମଲା ରହିଛି । ଏହି ଲୁଟ୍ ଘଟଣାରେ ଅନ୍ୟ ଅଭିଯୁକ୍ତ ସାମିଲ ରହିଛନ୍ତି । ସେମାନଙ୍କୁ ଧରିବା ଲାଗି ବାଲିଗୁଡା ପୋଲିସ ଏବେ ବି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖୁଛି । ତେଣୁ ଗିରଫ ହୋଇଥିବା ମାଷ୍ଟର ମାଇଣ୍ଡର ଠିକଣା ଗୋପନୀୟ ରଖାଯାଇଛି ବୋଲି ବାଲିଗୁଡା ଏସ୍ଡ଼ିପିଓ ରାହୁଲ ଗୋଏଲ୍ କହିଛନ୍ତି । ପୋଲିସର କହିବା ଅନୁଯାୟୀ, ଗତ ମାସ ୨୪ ତାରିଖରେ ବାଲିଗୁଡାର ରୂପା ବ୍ୟବସାୟୀ ସନ୍ୟାସୀ ନାୟକ ଏକ ରୂପା ଭର୍ତି ବ୍ୟାଗ ଧରି ବ୍ୟବସାୟ ଲାଗି ଯାଉଥିବା ସମୟରେ ପାଟଖଣ୍ଡା ସାହିରେ ଦୁଇଟି ବାଇକ୍ରେ ୩ ଜଣ ଲୁଟେରା ଆସି ତାଙ୍କ ଠାରୁ ରୂପା ବ୍ୟାଗ ଲୁଟି ନେଇ ପଳାଇଥିଲେ । ଏ ନେଇ ସନ୍ୟାସୀ ନାୟକ ବାଲିଗୁଡା ଥାନାରେ ଅଭିଯୋଗ କରିବା ପରେ ପୋଲିସ ୧୧୯ / ୨୦ରେ ଏକ ମାମଲା ରୁଜୁ କରିବା ସହ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଲୁଟ୍ର ତନାଘନା ଆରମ୍ଭ କରିଥିଲେ । ଅଭିଯୁକ୍ତକୁ ଧରିବା ଲାଗି ବାଲିଗୁଡା ପୋଲିସ ଏକ ଟିମ୍ ଗଠନ କରି ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଅଭିଯୁକ୍ତ ଫଟୋକୁ ଆଧାର କରି ପୋଲିସ ମାଷ୍ଟର ମାଇଣ୍ଡ ଲୁଟେରାକୁ କାବୁ କରିବାରେ ସଫଳ ହୋଇଥିଲା । ଅନ୍ୟ ଲୁଟେରା ମାନଙ୍କୁ ଧରିବା ଲାଗି ବାଲିଗୁଡା ପୋଲିସ ଏବେ ବି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ଜଣାପଡିଛି ।