ଜର୍ନାଲିଷ୍ଟ ଏସୋସିଏସନ୍ ଅଫ ବରଗଡ ପକ୍ଷରୁ ଦେବଦର୍ହା ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜର୍ନାଲିଷ୍ଟ ଏସୋସିଏସନ୍ ଅଫ ବରଗଡ (ଜାବ) ପକ୍ଷରୁ ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଦେବଦର୍ହା ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଜାବର ସଭାପତି ରବି ପଣ୍ଡାଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ଯୋଗଦେଇଥିବା ବେଳେ ଆଜି ବିଶ୍ଵରେ ପରିବେଶ ଯେଉଁ ଭାବରେ ଗରମ ହେଉଛି ଓ ଅମ୍ଳଜାନର ଦରକାର ପଡୁଛି, ବୃକ୍ଷ ରୋପଣ ନିହାତି ଜରୁରୀ ହୋଇ ପଡୁଛି ଏବଂ ଆମର ସାମ୍ବାଦିକ ବନ୍ଧୁ ମାନଙ୍କ ଦ୍ଵାରା ଏହା ଆୟୋଜିତ ହେବା ଦ୍ୱାରା ସମାଜରେ ବୃକ୍ଷ ରୋପଣ ପାଇଁ ସଚେତନତା ମୂଳକ ବାର୍ତ୍ତା ଦେଉଛି ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବରେ ପଦ୍ମପୁର ରେଞ୍ଜ ଅଫିସର ପୁର୍ଣ୍ଣଚନ୍ଦ୍ର ମହନ୍ତ ଯୋଗ ଦେଇ ସାମ୍ବାଦିକମାନଙ୍କ ସହ ବୃକ୍ଷ ରୋପଣ କରିବାର ଏକ ନିଆରା ଅଭିଜ୍ଞତା ବୋଲି କହିବା ସହ ଏହି ପବିତ୍ର ପୀଠକୁ ସବୁଜିମାରେ ପରିପୂର୍ଣ କରାଯିବ ବୋଲି ଘୋଷଣା କରିଥିଲେ । ସେ ସାମ୍ବାଦିକ ମାନଙ୍କୁ ଦେବଦର୍ହାକୁ ଏକ ଇକୋଟୁରିଜମ ସ୍ଥଳର ମାନ୍ୟତା ପାଇଁ ଚେଷ୍ଟା କରିବାକୁ ଅନୁରୋଧ କରିଥିଲେ । ସଭା ଆରମ୍ଭରେ ଜାବର ପଦ୍ମପୁର ୟୁନିଟର ସଂଯୋଜକ ପ୍ରିୟ ରଂଜନ ଭୋଇ ସ୍ଵାଗତ ଭାଷଣ ଦେଇଥିଲେ । ଜାବର ଉପ ସଭାପତି ବିଜୟ ସାହୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଜାବର ସମ୍ପାଦକ ଯୁଧିଷ୍ଟିର ମହାପାତ୍ର ସଂଘର ଆଗାମୀ ଦିନର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଶେଷରେ ସଂଘର ଅଫିସ୍ ସମ୍ପାଦକ ବଦ୍ରି ପ୍ରସାଦ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହ ସଂଘର ସାଂଗଠନିକ ଆଲୋଚନା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ସଂଘର ସମସ୍ତ ୧୨ ଟି ବ୍ଲକର କର୍ମକର୍ତ୍ତା ଓ ସଦସ୍ୟ ମାନେ ଯୋଗଦାନ କରିଥିବା ବେଳେ ଆଜି ଜାବ ଓ ପଦ୍ମପୁର ଉପଖଣ୍ଡ ବନ ବିଭାଗର ମିଳିତ ଉଦ୍ୟମରେ ପବିତ୍ର ଦେବଦର୍ହା ପୀଠ ଠାରେ ୧୦୦୦ ଟି ଗଛ ଲଗାଇବାର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ କଲ୍ୟାଣି ଦାଶ ନଡ଼ିଆ ବାଡେଇ ଶୁଭାରମ୍ଭ କରିଥିଲେ ।

Leave A Reply

Your email address will not be published.