jayashree

ଏକତ୍ର ରାଉରକେଲାର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪

  • ନବମ ଦିନ ଉତ୍କଳୀ ସାଂସ୍କୃତିକ ଶିଳ୍ପୀର ନାଟକ ହନୁର ଲାଞ୍ଜ ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ପୃଷ୍ଠପୋଷକତାରେ ଏକତ୍ର ରାଉରକେଲାର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ର ନବମ ଦିବସରେ ଉତ୍କଳୀ ସାଂସ୍କୃତିକ ଶିଳ୍ପୀର ନାଟକ ହନୁର ଲାଞ୍ଜ ମଞ୍ଚସ୍ଥ ହୋଇଯାଇଛି । ଶୁଭଶ୍ରୀ ଦାଶଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗାଳ୍ପିକ ଭୂପେନ ମହାପାତ୍ର ଯୋଗ ଦେଇ ଓଡିଶାରେ ନାଟ୍ୟ ଜାଗତର ବିରାଟ ପରମ୍ପରା ରହିଥିବା ବେଳେ ଏହା ଆଗକୁ ବଯାୟ ରହିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ଶଙ୍କର ପ୍ରସାଦ ତ୍ରିପାଠୀ ଯୋଗଦେଇ ନାଟକ ହିଁ ସମାଜର ଦର୍ପଣ ବୋଲି କହିଥିଲେ । ଆର୍‌.ଏସ୍‌.ପିର ସଂଚାର ବିଭାଗ ମୁଖ୍ୟ ଶ୍ରୀମତୀ ଅର୍ଚନା ଶତପଥି ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ଏକତ୍ର ପକ୍ଷରୁ ଡ଼. ନିବେଦିତା ଜେନା ସ୍ୱାଗତ ଅଭିଭାଷଣ ଓ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ବରିଷ୍ଠ ମଞ୍ଚ ଅଭିନେତା ସରୋଜ ଶଙ୍ଖୁଆ ଧନ୍ୟବାଦ ଅର୍ପଣ କରିଥିଲେ । ନାଟ୍ୟକାର ବିଲୋଚନ ପାତ୍ରଙ୍କ ରଚିତ ଓ ନିର୍ଦ୍ଦେଶନାରେ ଏହି ନାଟକର ବିଷୟବସ୍ତୁ ହେଲା କଳ୍ପନା ବି କର୍ମ, ପ୍ରାର୍ଥନା ବି ମୋହ, ବର ବି ଶାପ । ଯାହାର ଭୋଗ ବନ୍ଧନ ନର ବାନର ଦେବତା ଅବତାର, ସମସ୍ତଙ୍କ ଇହ ପରକାଳରେ ଏପରିକି କାଳାନ୍ତରରେ ମଧ୍ୟ ନିଶ୍ଚିତ ପ୍ରତିଫଳନ ହୋଇଥାଏ । ଏହିପରି ଏକ ସିଦ୍ଧାନ୍ତକୁ ତ୍ରେତୟା ତଥା ଦ୍ୱାପର ଯୁଗର ଯୋଗସୂତ୍ରରେ ଗୁନ୍ଥି ଏକ ସୁନ୍ଦର କଥା କିମ୍ବଦନ୍ତୀ ମାଧ୍ୟମରେ ଉପସ୍ଥାପନା କରାଯାଇଛି । ଏଥିସହ ଏହି ନାଟକର ଅନ୍ତସ୍ୱର ଦେବ ଦୁର୍ଲ୍ଲଭ ମନୁଷ୍ୟ ଜୀବନକୁ ଅତି ସଞ୍ଜମତା ତଥା ବିଭୁ ସମର୍ପଣତା ଚେତନା ନେଇ ନିର୍ବାହ କରିବାର ସନାତନୀ ବାର୍ତ୍ତା ବହନ କରିଛି । ଏହିଭଳି କାହାଣୀକୁ ନେଇ ନାଟକଟି ଗତିଶୀଳ ହୋଇଛି । ଏଥିରେ ବିଲୋଚନ, ଆନନ୍ଦ, ସ୍ୱାଗତ, ଅନୀଲ, ଅର୍ପିତା, ସୁଶ୍ରୀମୟୀ, ପାୟଲ, କ୍ଷୀତିକା, ପ୍ରତିକ୍ଷା, ସୁପ୍ରିୟା, ବିଭୁତି, ଅକ୍ଷୟ, କ୍ଷୀରୋଦ, ଜଗବନ୍ଧୁ, ଅନନ୍ତ ପ୍ରମୁଖ ଅଭିନୟ କରିଥିବା ବେଳେ ସଂଗୀତରେ ଗୁଲାବ ଓ ପ୍ରମୋଦ, ମଞ୍ଚସଜ୍ଜାରେ ଆରତୀ ମାଝୀ ଓ ଭୀଷ୍ମ ନାରାୟଣ ସ୍ୱାଇଁ, ଆଲୋକରେ ଅଶୋକ ନାୟକ, ନୃତ୍ୟରେ ବର୍ଷାରାଣୀ ପଣ୍ଡା, ଋପସଜ୍ଜାରେ ଲକ୍ଷ୍ମୀ ଚିତ୍ରାଳୟ, ମଞ୍ଚ ପରିଚାଳନାରେ ପ୍ରକାଶ ରାଉଳ ଓ ଚିନ୍ମୟ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ । ମନୋରଞ୍ଜନ ଦାସ ଓ ସୁଶାନ୍ତ ଦାସ ପରିଚାଳକ ଭାବେ, ଇସ୍ପାତ କଳା ପରିଷଦର ସହଯୋଗ ଓ ଗଳ୍ପରେ ଡ. ପଦ୍ମଜ ପାଳ ଦାୟିତ୍ଵ ନିର୍ବାହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ ନାୟକ, ଅକ୍ଷୟ ଧଳ, ଡ଼ଃ ସମର ମୁଦାଲି, ରମେଶ ମହାନ୍ତି, ଡ଼ା କୃପାସିନ୍ଧୁ ନାୟକ, ସୁରେନ୍ଦ୍ର ପାଢ଼ୀ, ପ୍ରବୀର ଜେନା, ଆଲୋକ ବୋଷ, ସଭାପତି ରାଜୀବ ପାଣି ଓ ସମ୍ପାଦକ ସୁଦେଶ ନାୟକ, ସୁମନ ଦତ୍ତ, ପପୁ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ମଞ୍ଚ କାର୍ଯ୍ୟକ୍ରମରେ କଲ୍ୟାଣୀ ଦାସ ଓ ସନ୍ଧ୍ୟା ପଟ୍ଟନାୟକ ସହଯୋଗ କରିଥିଲେ ।

Leave A Reply

Your email address will not be published.