jayashree

ଏକତ୍ର ରାଉରକେଲାର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪

  • ଚତୁର୍ଥ ଦିନ ପ୍ରତିଧ୍ଵନିର ନାଟକ ଖାଣ୍ଟି ସୁନା ଓ ନଟରାଜ ନୃତ୍ୟ ପରିଷଦର ନାଟକ ସମ୍ବୋଧନ ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ପୃଷ୍ଠପୋଷକତାରେ ଏକତ୍ର ରାଉରକେଲାର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ର ଚତୁର୍ଥ ଦିବସରେ ଦୁଇଟି ନାଟକ ମଞ୍ଚସ୍ଥ ହୋଇଯାଇଛି । ପ୍ରଥମଟି ପ୍ରତିଧ୍ୱନିର ନାଟକ ଖାଣ୍ଟି ସୁନା ଓ ଦ୍ୱିତୀୟଟି ନଟରାଜ ନୃତ୍ୟ ପରିଷଦର ନାଟକ ସମ୍ବୋଧନ ମଞ୍ଚସ୍ଥ ହୋଇଯାଇଛି । ବିଭୁଦତ୍ତ ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ ଆର୍‌ଏସ୍‌ପିର ସିଜିଏମ ଜିତେନ୍ ମହାନ୍ତି ଯୋଗ ଦେଇଥିବା ବେଳେ ଚେମ୍ବର ଅଫ କମର୍ସ ଆଣ୍ଡ ଏଣ୍ଡଷ୍ଟ୍ରିର ପୂର୍ବତନ ସଭାପତି ସୁନୀଲ କାୟାଲ ମୁଖ୍ୟ ଅତିଥି ଓ ୱାଟର କ୍ରାଫ୍ଟର ନିର୍ଦ୍ଦେଶିକା ଶ୍ରୀମତୀ ନିହାରିକା ବସ୍ତିଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଶ୍ରୀ ମହାନ୍ତି ତାଙ୍କ ବକ୍ତବ୍ୟ ରେ କହିଲେ ଯେ, ଏକତ୍ର ର ଏହି ନାଟ୍ୟ ମହୋତ୍ସବ ସହରବାସୀଙ୍କ ମଧ୍ୟରେ ହସ ଫୁଟାଉଛି । ମଞ୍ଚସ୍ଥ ନାଟକ ଓ ଉଦ୍ୟକ୍ତାଙ୍କ ପ୍ରଚେଷ୍ଟା ସାମାଜିକ ଓ ସାଂସ୍କୃତିକ ବାତାବରଣକୁ ସୁଦୃଢ କରୁଛି । ଦର୍ଶକ ମାନଙ୍କ ସଦିଚ୍ଛା ରହିଲେ ନାଟକ ସଫଳ ହେବ ବୋଲି ସେ କହିଥିଲେ । ଶ୍ରୀମତୀ ନିହାରିକା କହିଲେ ଯେ, ଏକତ୍ରର ଏହି ଅଭିନବ ଉଦ୍ୟମ କଳାକାରଙ୍କୁ ଏକ ସୂତ୍ରରେ ବାନ୍ଧି ରଖିବା ସହ ନାଟକ ପାଇଁ ପ୍ରେରଣା ଯୋଗାଉଛି । ମୁଖ୍ୟ ଅତିଥି ସୁନୀଲ କାୟାଲ କହିଲେ ଯେ, ରାଉରକେଲା ହେଉଛି କଳା ସଂସ୍କୃତିର ରାଜଧାନୀ । ‘ରଙ୍ଗମଞ୍ଚ ଆହୁରି ଦର୍ଶକ ସୃଷ୍ଟି କରୁ, କଳାକାରଙ୍କୁ ଉତ୍ସାହିତ କରିଚାଲୁ, ଏହାହିଁ କାମନା କରୁଛି ।’ ଏଥିରେ ପ୍ର.ସମର ମୁଦାଲୀ ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରତିଧ୍ଵନିର ନାଟକ ଖାଣ୍ଟି ସୁନାର ନାଟ୍ୟକାର ଡ. ପ୍ରଦୀପ ଭୌମିକ ଓ ରମେଶ ଚନ୍ଦ୍ର ମହାନ୍ତିଙ୍କ ନିର୍ଦ୍ଦେଶିତ ଏହି ବ୍ୟାଙ୍ଗାତ୍ମକ ନାଟକର କାହାଣୀ ହେଲା ଫ୍ରାନ୍ସର ପ୍ୟାରିସରେ ରହୁଥିବା ଜଣେ ମହିଳା ଆଞ୍ଜେଲିନା ଓଡ଼ିଶାର ଜଣେ ଖାଣ୍ଟି ଓଡ଼ିଆ ମହିଳାଙ୍କୁ ୧୫ ଦିନ ପାଇଁ ବିଦେଶ ଭ୍ରମଣ କରାଇବେ ବୋଲି ପ୍ରକାଶ କରିଛନ୍ତି । ସେଥିପାଇଁ ଆରମ୍ଭ ହୋଇଛି ପ୍ରତିଯୋଗିତା ପ୍ରକ୍ରିୟା । ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଶ୍ରୀଅକ୍ଷର ବିବର୍ଜିତା ସତ୍ୟଭାମା ଠାରୁ ଆରମ୍ଭ କରି ଆଧୁନିକ ମୁଖା ପିନ୍ଧିଥିବା ଛବି ମାଡାମ, ସ୍ୱାଗତିକା ଓ ଲୋରା ପଣ୍ଡାଙ୍କ ପରି ମହିଳାମାନେ ଖାଣ୍ଟି ଓଡ଼ିଆଣୀ ମୁକୁଟ ପିନ୍ଧିବା ପାଇଁ ଆଶାୟୀ ପ୍ରାର୍ଥୀ ହେବା ସହ ପରସ୍ପର ମଧ୍ୟରେ ସଂଘର୍ଷରତ । ତେବେ ଆଞ୍ଜେଲିନା କଣ ତାଙ୍କ ଇଚ୍ଛା ମୁତାବକ ଖାଣ୍ଟି ଓଡ଼ିଆଣୀ ଟିଏ ପାଇଛନ୍ତି କି ନାହିଁ, ସେ ସମ୍ପର୍କରେ ନାଟକଟି ଗତିଶୀଳ ହୋଇଛି । ଏଥିରେ ପିଙ୍କି ପ୍ରିୟଦର୍ଶିନୀ, ନୀତା ଗୋସ୍ୱାମୀ, ପ୍ରିତୀ ବାରିକ, ସସ୍ମିତା ମହନ୍ତ, ସଞ୍ଜନା ପତି, ଶ୍ରେୟଶ୍ରୀ ମହାନ୍ତି, ମନୋରଞ୍ଜନ ବକ୍ସି, ପଲକ ସ୍ୱାଇଁ ପ୍ରମୁଖ ଅଭିନୟ କରିଥିବା ବେଳେ ସଂଗୀତରେ ଗୁଲାବ ଶର୍ମା ଓ ପ୍ରମୋଦ ସାହୁ, ମଞ୍ଚ ସଜ୍ଜାରେ ଅବିନାଶ ମହାପାତ୍ର, ସମରେନ୍ଦ୍ର କୁମାର ଓ ରଞ୍ଜିତ ବିଶ୍ୱାଳ, ରୂପସଜ୍ଜାରେ ହରିହର ବଳ, ଶବ୍ଦ ଆଲୋକରେ ସୋନୁ, ପ୍ରଯୋଜନା ସହଯୋଗୀ ଭାବେ ପରମେଶ୍ଵର ପ୍ରଧାନ ଓ ଉପଦେଷ୍ଟା ଶରତ ଦାସ ପ୍ରମୁଖ ସହଯୋଗ କରିଥିଲେ । ସେହିପରି ଦ୍ୱିତୀୟରେ ନଟରାଜ ନୃତ୍ୟ ପରିଷଦର ନାଟକକୁ ନାଟ୍ୟକାର ସୁନିଲ ରାଜ ଓ ପ୍ରବୀର କୁମାର ଜେନା ନିର୍ଦ୍ଦେଶନାରେ ସମ୍ବୋଧନ ମଞ୍ଚସ୍ଥ ହୋଇଥିଲା । ଏଥିରେ ମନୋଜ କୁମାର ନାୟକ, ସୁଲିପ୍ତା ଜେନା ଓ ଶ୍ରଦ୍ଧା ଅନନ୍ୟା ଜେନା ଅଭିନୟ କରିଥିବା ବେଳେ ସଂଗୀତରେ ସାଇ ଶୁଭମ୍ ଓ ଅଞ୍ଜଳି ଜେନାଙ୍କ ସହଯୋଗରେ ନାଟକ ପ୍ରଦର୍ଶିତ ହୋଇଥିଲା । ନାଟକଟି ଏହିପରି, ସମାଜରେ ସ୍ୱାମୀ ସ୍ତ୍ରୀର ପବିତ୍ର ସମ୍ପର୍କ ମଧ୍ୟରେ ବେଳେ ବେଳେ ଦେଖାଦିଏ ତିକ୍ତତା । ଶ୍ରଦ୍ଧା ଓ ରାଜ୍‌ ପରସ୍ପରକୁ ପ୍ରେମ ବିବାହ କରିଥିଲେ ହେଁ ଶ୍ରଦ୍ଧାଙ୍କ ଅଭିନେତ୍ରୀ ହେବାର ନିଶା ଓ ରାଜ୍‌ଙ୍କର ଲେଖକ ହେବାର ନିଶା ପରସ୍ପରକୁ ପରସ୍ପର ଠାରୁ ଦୂରେଇ ରଖେ । ହଠାତ୍ ୨୨ବର୍ଷ ପରେ ପାର୍କରେ ଅଜଣା ଯୁବତୀ ଶୃତିଙ୍କ କଥୋପକଥନରୁ ରାଜ୍‌ ପୁଣି ବାସ୍ତବତାକୁ ଫେରେ । ସମ୍ପର୍କର ମୃତ୍ୟୁ କେବେ ହୁଏନା, କେବଳ ସମ୍ବୋଧନରେ ଜୀବନର ଗାଡି କିପରି ଗଡ଼ିଛି ତାକୁ ନେଇ ନାଟକ ସମ୍ବୋଧନ ଗତିଶୀଳ ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ ନାୟକ, ସରୋଜ ଶଙ୍ଖୁଆ, ଅକ୍ଷୟ ଧଳ, ରାଜକୁମାର ମହାନ୍ତି, ଶରତ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଚିନ୍ମୟ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ମଞ୍ଚ ପରିଚାଳନାରେ କଲ୍ୟାଣୀ ଦାସ ଓ ସନ୍ଧ୍ୟା ପଟ୍ଟନାୟକ ସହଯୋଗ କରିଥିଲେ ।

Leave A Reply

Your email address will not be published.