ଅନ୍ଧକାରରେ ଇନ୍ଦ୍ରାବତୀ ଶକ୍ତି ଗୃହ : ଟ୍ରାଂସଫର୍ମର ଅଚଳ, ବିଦ୍ୟୁତ୍ ସରବରାହ ବନ୍ଦ

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲାର ମୁଖିଗୁଡା ସ୍ଥିତ ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମସ୍ତଙ୍କୁ ବିଦ୍ୟୁତ୍ ଆଲୋକରେ ଆଲୋକିତ କରୁଥିବା ବେଳେ ଏବେ ମୁଖିଗୁଡା ବିଦ୍ୟୁତ୍ ଗୃହ ଠାରୁ ଆରମ୍ଭ କରି ଓଏଚ୍‌ପିସି କଲୋନୀ ଓ ମହା ପ୍ରବନ୍ଧକଙ୍କ କାର୍ଯ୍ୟାଳୟ ଗତ ବୁଧବାର ରାତିରୁ ଅନ୍ଧାରରେ ବୁଡି ରହିଥିବା ଦେଖିବାକୁ ମିଳିଛି । ସୂଚନାରୁ ପ୍ରକାଶ ଯେ, ଗତ ବୁଧବାର ରାତି ପ୍ରାୟ ନଅଟା ବେଳେ ଇନ୍ଦ୍ରାବତୀ ସ୍ଵିଚ ୟାର୍ଡ ମଧ୍ୟରେ ଅବସ୍ଥିତ ୨୦ଏମ୍‌ଭିର ବିଶାଳକାୟ ଟ୍ରାଂସ ଫର୍ମର ମଧ୍ୟରେ ଏକ ବିସ୍ଫୋରଣ ହୋଇ ସମ୍ପୂର୍ଣ୍ଣ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯାଇଥିଲା । ବିଭାଗୀୟ ବିଦ୍ୟୁତ୍ ବିଭାଗର ଯନ୍ତ୍ରୀମାନେ ଘଟଣା ସ୍ଥଳରେ ପହଞ୍ଚି ସୁଧାରିବା ପାଇଁ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ସେମାନଙ୍କୁ ନିରାଶ ହେବାକୁ ପଡ଼ିଥିଲା । ୭୨ଘଣ୍ଟା ଧରି ବିଦ୍ୟୁତ୍ ସରବରାହ ବିଦ୍ୟୁତ୍ ଗୃହ ସମେତ ଓଏଚ୍‌ପିସି କାର୍ଯ୍ୟାଳୟ, କର୍ମଚାରୀଙ୍କ ବାସଗୃହରେ ମଧ୍ୟ ଅନ୍ଧାର ରାଜୁତି କରୁଥିଲା ବୋଲି ସୂଚନା ମିଳିଛି । ସାମୟିକ ଭାବରେ ଶକ୍ତି ଗୃହକୁ ଏକ ଜେନେରେଟର ଦ୍ଵାରା ଆଲୋକିତ କରାଯାଇଥିଲା ବୋଲି ଖବର ରହିଛି । ଏ ସଂକ୍ରାନ୍ତରେ ଓଏଚ୍‌ପିସି ବରିଷ୍ଠ ମହାପ୍ରବନ୍ଧକ ସତ୍ୟବ୍ରତ ମହାନ୍ତିଙ୍କୁ ପଚାରି ବାରୁ ଘଟଣାଟି ସତ ହୋଇଥିବା ବେଳେ ବର୍ତ୍ତମାନ ଆମେ ଟାଟା ପାୱାରରୁ ବିଦ୍ୟୁତ୍ ସଂଯୋଗ କରି ସରବରାହ କ୍ଷେତ୍ରରେ ସ୍ଥିତାବସ୍ଥାକୁ ଆଣିବାକୁ ଚେଷ୍ଟା କରିବୁ ବୋଲି ପ୍ରକାଶ କରିଥିଲେ । ହାରାହାରି ୨୫ବର୍ଷ ଧରି ସେବାରେ ଆସିଥିବା ଜେନେରାଲ ଇଲେକ୍ଟ୍ରିକାଲ କମ୍ପାନୀ ଦ୍ଵାରା ନିର୍ମିତ ଏହି ବିଶାଳକାୟ ଟ୍ରାଂସଫାର୍ମର ପରିଚାଳନା ଗତ ତୃଟି ଯୋଗୁଁ ଏଭଳି ସ୍ଥିତି ଉତ୍ପନ୍ନ ହୋଇଛି ବୋଲି ପରସ୍ପର ମଧ୍ୟରେ ଆଲୋଚନା ହେଉଛି । ଏବେ ବିଭାଗ ଏହାର ମରାମତି କିମ୍ବା ନୂତନ ଭାବରେ ପରିଚାଳନା ବ୍ୟବସ୍ଥାକୁ ତ୍ୱରାନ୍ୱିତ ନ କଲେ ଶକ୍ତି ଉତ୍ପାଦନ କ୍ଷେତ୍ରରେ ରାଜ୍ୟରେ ଅଗ୍ରଣୀ ଭୂମିକା ନେଇଆସିଥିବ ଇନ୍ଦ୍ରାବତୀ ପାଇଁ ଏକ ଅକ୍ଷମଣୀୟ ଇତିହାସ ଆରମ୍ଭ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ବର୍ତ୍ତମାନ ସ୍ଥିତିରେ ଏକ ଘରୋଇ ସଂସ୍ଥା ଟାଟା ପାୱାରରୁ ବିଦ୍ୟୁତ୍ କିଣାଯାଇ ଶକ୍ତି ଗୃହ ସମେତ ଓଏ୍‌ପିସିର ଅନ୍ୟ ସବୁ ଅଞ୍ଚଳକୁ ଅଧିକ ଦାମରେ ବିଦ୍ୟୁତ୍ କିଣି ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି । ଜାରି ଫଳରେ ବିଦ୍ୟୁତ୍ ଦେୟ ବାବଦକୁ କୋଟି କୋଟି ଟଙ୍କା ରାଜସ୍ୱରୁ ଭରଣା କରିବାକୁ ପଡ଼ିବ ବୋଲି ସୂଚନା ମିଳିଛି । ସରକାରୀ ସ୍ତରରେ ଏହାର ଆସୁ ସମାଧାନ ପାଇଁ ଜରୁରୀ ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି ହେଉଛି ।

Leave A Reply

Your email address will not be published.