ରାଉରକେଲା, (ସସ୍ମିତା ପ୍ରଧାନ) : ସାଂସ୍କୃତିକ ଅନୁଷ୍ଠାନ କଲ୍ୟାଣୀ କଳା କେନ୍ଦ୍ର ଆନୁକୂଲ୍ୟରେ ସେକ୍ଟର ୧୭ସ୍ଥିତ ହୋମ୍ ଆଣ୍ଡ ହୋପ୍ଠାରେ ମୁଁ ନାଚିପାରେ (ଆଇ କାନ୍ ଡ୍ୟାନ୍ସ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ରମେଶ ଚନ୍ଦ୍ର ସେଠୀଙ୍କ ସଭାପତିତ୍ୱରେ ସାଧାରଣ ସମ୍ପାଦକ ବାପି ପଲାଇଙ୍କ ଆବାହକତ୍ଵ ତଥା ବରିଷ୍ଠ ସଦସ୍ୟ ସରୋଜ ମହାନ୍ତିଙ୍କ ମଞ୍ଚ ପରିଚାଳନାରେ ମୁଖ୍ୟ ଅତିଥି ଭାବେ ଲଲାଟେନ୍ଦୁ ଚୌଧୁରୀ ଯୋଗଦେଇ ଏଭଳି ନିଆରା କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହାଦ୍ୱାରା ଏଠାରେ ଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ସେମାନଙ୍କ ଅନ୍ତର୍ନିହିତ ଶକ୍ତିର ବିକାଶ କରି ପାରୁଥିବାରୁ ସାଧୁବାଦ ଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ହୋମ୍ ଆଣ୍ଡ ହୋପ୍ର ଅଧ୍ୟକ୍ଷା ପଦ୍ମିନୀ ଦାସ, ଦିଲିପ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ, କୌତୁକ ପୋଷାକ ଓ ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା । ବିଚାରକ ଭାବେ ଲୁସି ଦାଶ, ମୈତ୍ରୀ ପାଢ଼ୀ, କଳ୍ପନା ମହାନ୍ତି, ଅମୂଲ୍ୟ ବିଶୋଇ ପ୍ରମୁଖ ଯୋଗଦେଇ ପ୍ରତିଯୋଗିତା ଗୁଡିକର ମୂଲ୍ୟାୟନ କରିଥିଲେ । ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅକ୍ଟୋବର ୧୯ତାରିଖରେ ହେବାକୁ ଥିବା ବାର୍ଷିକ ଉତ୍ସବରେ ସମ୍ମାନିତ କରାଯିବ ବୋଲି ସମ୍ପାଦକ ଶ୍ରୀ ପଲାଇ କହିଛନ୍ତି । ଏହି କାର୍ଯ୍ୟକ୍ରମ ପରିଚାଳନାରେ ହିମାଦ୍ରୀ ପଟ୍ଟନାୟକ, ବିଶ୍ଵଜିତ ସେବକ, ଶିବ, ଭରତ, ହୋମ୍ ଆଣ୍ଡ ହୋପ୍ରୁ ରୀନା ଛତ୍ରିଆ, ପ୍ରଦୀପ ମଲ୍ଲିକ, କବିତା ନାଗ, ତାରା ବିଭାର, ସୁରେନ୍ଦ୍ର ସାହୁ, ପବିତ୍ର କବି, ସଞ୍ଜୟ ରଣା, ଜ୍ୟୋତିପ୍ରକାଶ ମିଶ୍ର, ସୁଚରିତା ଭଟ୍ଟାଚାର୍ଯ୍ୟ, ଚନ୍ଦ୍ରକାନ୍ତି ବାଲ୍ମିକୀ, ଏମ୍ଡି ଆଜାଦ୍, ଜ୍ଞାନରଞ୍ଜନ ମହାନ୍ତି, ମନୋଜ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଅଭିଭାବକ ଅଭିଭାବିକା ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ ।