centurian jitm

ସୁବର୍ଣ୍ଣପୁରରେ ମହିଳା ହିଂସା ନିରାକରଣ ପକ୍ଷ ପାଳନ : ମହିଳା ମାନେ ନିର୍ଭୟରେ ହିଂସାକୁ ପ୍ରତିରୋଧ କରିବାକୁ ଆହ୍ଵାନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୋନପୁର ବ୍ଲକ୍ ସମ୍ମିଳନୀ କକ୍ଷରେ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ସଖୀ ଅନୁଷ୍ଠାନ ଆନୁକୂଲ୍ୟରେ ମହିଳା ହିଂସା ନିରାକରଣ ପକ୍ଷ ପାଳନ ଅବସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ପୀଡିତା ମହିଳା ତଥା ବାଳିକାମାନଙ୍କୁ ପୋଲିସ, ଡାକ୍ତରି, ଆଇନ୍‌ଗତ, ମନସ୍ତାତ୍ତ୍ୱିକ ଓ ସାମାଜିକ ଇତ୍ୟାଦି ସମନ୍ଵିତ ସେବା ଯୋଗାଇ ଦେବା ପାଇଁ ଏକ କୈନ୍ଦ୍ରିକ ଅନୁଷ୍ଠାନ ହିସାବରେ ସଖୀ ସଫଳତାର ସହିତ ଉଦ୍ୟମ ଜାରି ରଖିଛି । ମହିଳା ହିଂସା ନିରାକରଣ ପକ୍ଷ ପାଳନ ଅବସରରେ ମହିଳାମାନେ ସମାଜରେ ବିଭିନ୍ନ ହିଂସା ବିରୁଦ୍ଧରେ ନିର୍ଭୟ ଭାବରେ ସ୍ଵର ଉତ୍ତୋଳନ କରିବା ପାଇଁ ସେମାନଙ୍କୁ ସାହସ ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହି ସଭା ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ୍ ମିଞ୍ଜ୍, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡଃ ରମେଶ ସ୍ଵାଇଁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡଙ୍ଗୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ରେଣୁବାଳା ଦାଶ ଏବଂ ମୁଖ୍ୟବକ୍ତା ଭାବରେ ରେଆର ସଭାପତି ବରିଷ୍ଠ ଆଇନଜୀବୀ ଗୌରୀଶ୍ୟାମ ପଣ୍ଡା ଯୋଗଦେଇ ଥିଲେ । ପ୍ରାରମ୍ଭରେ ସଖୀର ପ୍ରଶାସିକା ରାଜଶ୍ରୀ ମହାନ୍ତି ସ୍ୱାଗତ ଅଭିଭାଷଣ ଦେବା ସହିତ ସଭାର ଉଦ୍ଦେଶ୍ୟ ସମ୍ବନ୍ଧରେ ସୂଚନା ଦେଇଥିଲେ । ଅତିଥି ଏବଂ ବକ୍ତାମାନେ ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ମହିଳା ମାନେ କିପରି ଭାବରେ ବିଭିନ୍ନ ହିଂସାର ଶିକାର ହେଉଛନ୍ତି ଏବଂ ଏହାର ସମାଧାନର ସରଳ ଉପାୟ ସମ୍ବନ୍ଧରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଶ୍ରୀ ପଣ୍ଡା କର୍ମ କ୍ଷେତ୍ରରେ ମହିଳାମାନେ ସାମନା କରୁଥିବା ଯୌନ ନିର୍ୟାତନାର ବିଭିନ୍ନ ଦିଗ ଓ ଏହାର ଆଇନଗତ ସହାୟତା କିଭଳି ମିଳିପାରିବ ସେ ସମ୍ପର୍କରେ ନିଜର ଅଭିଜ୍ଞତାରୁ ପ୍ରାଞ୍ଜଳ ଭାବରେ ବୁଝାଇ ଥିଲେ । ଆଜିକାର ଏହି ସଭାରେ ସମସ୍ତ ବ୍ଲକର ସିଡିପିଓ, ସୁପରଭାଇଜର, ଆକ୍ସନ ଏଡ୍‌ର ଜିଲ୍ଲା ସଂଯୋଜକ ରାକେଶ ପଧାନ, ଜିଲ୍ଲା ପରିଷଦ ଏପିଡି ଶୈବାଳିନି ପଟ୍ଟନାୟକ, ଶିଶୁ ସୁରକ୍ଷା ପରିଷଦର ଆଇନ ପରାମର୍ଶଦାତା କେଶବ ମେହେର, ସିଡବ୍ଲୁସି ସଭ୍ୟ ରଞ୍ଜିତା ସାହୁ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ମହିଳା କର୍ମକର୍ତ୍ତା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସଖୀ ଅନୁଷ୍ଠାନର ସମସ୍ତ କର୍ମଚାରୀ ଏବଂ ସ୍ଵେଚ୍ଛାସେବୀ ସହାୟତା ପ୍ରଦାନ କରିଥିଲେ ।

Leave A Reply

Your email address will not be published.