jayashree

ସମୃଦ୍ଧ ଭାରତ ପାଇଁ ହିନ୍ଦୁତ୍ୱ ଆଧାରିତ ଶିକ୍ଷା ଏକାନ୍ତ ଆବଶ୍ୟକ : ଶାନ୍ତନୁ କୁସୁମ

ରାଉରକେଲା, (ସସ୍ମିତା ପ୍ରଧାନ) : ଶିକ୍ଷା ହେଉଛି ସମାଜ ଓ ରାଷ୍ଟ୍ରର ଦର୍ପଣ ସଦୃଶ । ଏହା ମାନବୀୟ ମୂଲ୍ୟବୋଧକୁ ଦୃଢ଼ତା ପ୍ରଦାନ କରିଥାଏ । ଶିକ୍ଷା ରହିତ ମଣିଷ କେବେ କେବେ ସାମାଜିକ ଶୃଙ୍ଖଳାର ବାହକ ହୋଇପାରିବନି । ଏହା ବାସ୍ତବିକ ଜୀବନଧାରା ଓ ଜୀବନଚର୍ଯ୍ୟାର ମାର୍ଗଦର୍ଶକ । ତେବେ ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥା ପ୍ରତ୍ୟେକ ଭାରତୀୟଙ୍କୁ କଳା ଇଂରେଜ ଶାସନ ବ୍ୟବସ୍ଥାର ବାହକ ସଜାଇଛି । ଆମ ଶିକ୍ଷା ବ୍ୟବସ୍ଥା କେବଳ ଚାକିରି ସର୍ବସ୍ବ ହୋଇ ରହିଯାଇଛି । ଏହା ଦ୍ଵାରା ଜଣେ ଭଲ ମଣିଷ ବା ସୁନାଗରିକ ହେବା ସମ୍ଭବ ନୁହେଁ । ଏପରି ଅବସ୍ଥାରେ ହିନ୍ଦୁତ୍ୱ ଆଧାରିତ ଶିକ୍ଷା ହିଁ ସମୃଦ୍ଧ ଭାରତ ନିର୍ମାଣରେ ସହାୟକ ହୋଇପାରିବ ବୋଲି ସେକ୍ଟର ୪ ସ୍ଥିତ ପଦ୍ମନାଭ ଇଞ୍ଜିନିଅରିଂ କଲେଜ ପ୍ରାଙ୍ଗଣରେ ଅନୁଷ୍ଠିତ ଏକଲ ଅଭିଯାନର ବାର୍ଷିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିରରେ ଯୋଗଦେଇ ବିଶ୍ୱହିନ୍ଦୁ ପରିଷଦ ସମରସତା ବିଭାଗର ପଶ୍ଚିମ ଓଡିଶା ମୁଖ୍ୟ ଶାନ୍ତନୁ କୁସୁମ ପ୍ରକାଶ କରିଛନ୍ତି । ଏହି ଅବସରରେ ଶ୍ରୀ କୁସୁମ ଆହୁରି କହିଛନ୍ତି ଯେ, ଭାରତୀୟ ସଂସ୍କୃତି, ଇତିହାସ ଓ ସମୃଦ୍ଧ ପରମ୍ପରାକୁ ପାଠ୍ୟ ପୁସ୍ତକରୁ ବାଦ ଦିଆଯାଇଥିବା ବେଳେ ଗୀତା, ରାମାୟଣ, ଅଷ୍ଟାଦଶ ପୁରାଣକୁ ଅଣଦେଖା କରାଯାଇଛି । ଅପରପକ୍ଷେ ସଂସ୍କାରବିହୀନ ଶିକ୍ଷା ବ୍ୟବସ୍ଥାକୁ ପ୍ରୋତ୍ସାହିତ କରାଯାଉଛି । ଯାହା ଭାରତ ଭଳି ଏକ ସଂସ୍କୃତି ଓ ଐତିହ୍ୟସମ୍ପନ୍ନ ଦେଶ ପାଇଁ ଆଦୌ ଶୁଭଙ୍କର ନୁହେଁ । ତେଣୁ ଏପରି ଅବସ୍ଥାରେ ଏକଲ ଅଭିଯାନର ସଂସ୍କାର ଶିକ୍ଷାକୁ ପ୍ରତ୍ୟେକଙ୍କ ଘରେ ପହଞ୍ଚାଇବା ସହିତ ଏକ ସମୃଦ୍ଧ ଭାରତ ନିର୍ମାଣ ଦିଗରେ ସହଭାଗୀ ହେବାକୁ ଉପସ୍ଥିତ ପ୍ରଶିକ୍ଷାର୍ଥୀମାନଙ୍କୁ ଶ୍ରୀ କୁସୁମ ଆହ୍ୱାନ କରିଥିଲେ । ଏକଲ ଅଭିଯାନର ସୁନ୍ଦରଗଡ଼ ଅଂଚଳ ସଭାପତି ଦାମୁ ତିର୍କୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ପଶ୍ଚିମ ଭାଗ ପ୍ରଶିକ୍ଷଣ ପ୍ରମୁଖ ଅନ୍ତର୍ଯ୍ୟାମୀ ସାହୁ, ଗ୍ରାମ ସ୍ୱରାଜ ପ୍ରମୁଖ ସୁବାଷ ମିଶ୍ର, ଅଞ୍ଚଳ ଅଭିଯାନ ପ୍ରମୁଖ ରାମ ଛୁରା ପ୍ରମୁଖ ପ୍ରଶିକ୍ଷକ ଭାବରେ ଯୋଗ ଦେଇଥିବା ବେଳେ ଜିଲ୍ଲାର ବିଭିନ୍ନ ବ୍ଲକରୁ ୬୫ ଜଣ ପ୍ରଶିକ୍ଷାର୍ଥୀ ଅଂଶଗ୍ରହଣ କରିଛନ୍ତି । ଏହି ପ୍ରଶିକ୍ଷଣ ଶିବିର ସେପ୍ଟେମ୍ବର-୨୪ ମଧ୍ୟାହ୍ନରେ ଉଦ୍‌ଯାପିତ ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.