ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ପରିସରରେ ବିଭତ୍ସ ହତ୍ୟାକାଣ୍ଡ : ମା’ ସାମ୍‌ନାରେ ପୁଅକୁ ହାଣିଲେ ଦୁର୍ବୃତ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ପରିସରରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ଖବର ମିଳିଛି । ମା’ ଆଗରେ ପୁଅକୁ ଦୁର୍ବୃତ୍ତମାନେ ନୃଶଂସ ଭାବେ ହତ୍ୟା କରିଥିବା ଭଳି ଏକ ଛାତିଥରା ଘଟଣା ସାରା ସହରକୁ ଦୋହଳାଇ ଦେଇଛି । ସମ୍ପୃକ୍ତ ହସ୍‌ପିଟାଲ ପରିସରର ଅକ୍ସିଜେନ ପ୍ଲାଣ୍ଟ ପାଖରେ ଏହି ଘଟଣା ଘଟିଥିବା ଜଣାପଡିଛି । ମୃତକ ଜଣକ ସ୍ଥାନୀୟ ସୁଦପଡାର ଅଜୁ ଦୋରା । ମା’ ସହ ମିଶି ଏହି ଯୁବକ ହସ୍‌ପିଟାଲ ପରିସରରେ ଖାଦ୍ୟ ବିକନ୍ତି ଠେଲାଗାଡିରେ । ମା’ ପୁଅ ସ୍କୁଟିରେ ଆସୁଥିବା ବେଳେ ମୁଖାପିନ୍ଧା ଦୁର୍ବୃତ୍ତ ମାନେ ଯୁବକଙ୍କୁ ଅତର୍କିତ ଆକ୍ରମଣ କରି ବିଭତ୍ସ ଭାବେ ହାଣି ପକାଇଥିଲେ । ପୁଅକୁ ରକ୍ଷା କରିବାକୁ ଯାଇ ମା’ ମଧ୍ୟ ଆକ୍ରମଣର ଶିକାର ହୋଇଥିବା ବେଳେ ସେ ଏବେ ଗୁରୁତର ଅବସ୍ଥାରେ ଭୀମଭୋଇ ହସ୍‌ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଘଟଣା ସ୍ଥଳରେ ଯୁବକ ଜଣକର ମୃତ୍ୟୁ ଘଟିସାରିଛି । ତେବେ ଖବର ପାଇ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଏହି ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବା ଜଣାପଡିଛି । ଦୁର୍ବୃତ୍ତମାନେ କିଏ ଓ କାହିଁକି ଏଭଳି ନୃଶଂସକାଣ୍ଡ କରିଛନ୍ତି ସେ ସମ୍ପର୍କରେ ଏପର୍ଯ୍ୟନ୍ତ ଖବର ମିଳିନାହିଁ ।

Leave A Reply

Your email address will not be published.