centurian jitm

ପତ୍ନୀଙ୍କ ଗଳା ଚିପି ହତ୍ୟା : ସ୍ୱାମୀ ଗିରଫ

ପୁରୀ : ପାରିବାରିକ କଳହର କରୁଣ ଅନ୍ତ ଘଟିଛି । ପତ୍ନୀଙ୍କ ପ୍ରାଣ ନେଇଛି ସ୍ୱାମୀ । ଶୁକ୍ରବାର ରାତିରେ ଏଭଳି ଅଭାବନୀୟ କାଣ୍ଡ ଘଟାଇଥିବା ଯୁବକକୁ ଧରିଛି ତାଳବଣିଆ ଥାନା ପୁଲିସ । ଅଭିଯୁକ୍ତ ଜଣକ ହେଲା ଏହି ଥାନା ଅଧୀନ ସିଦ୍ଧମହାବୀର ଚମାର ସାହିର ପୂର୍ଣ୍ଣଚନ୍ଦ୍ର ବେହେରା ଓରଫ ବାଦଲ (୨୭) ମୃତା ହେଲେ ପେଣ୍ଠକଟା ମେରାଇନ୍‌ ଥାନା ଅଧୀନ ନାଗାପାଟଣା ଗ୍ରାମର ଗଗନ ସ୍ୱାଇଁଙ୍କ ଝିଅ ସୌଦାମିନୀ (୨୭) ପୁଲିସ ବାଦଲକୁ ଗିରଫ କରିଛି । ରବିବାର ତାକୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ଆଇଆଇସି ଗୀତାଞ୍ଜଳି ନାୟକ । ଶନିବାର ସକାଳେ ଘର ଭିତରେ ପଡ଼ିଥିଲା ସୌଦାମିନୀଙ୍କ ମୃତଦେହ । ପୁଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିଲା । ବାଦଲକୁ ଧରି ପୁଲିସ ପଚରାଉଚରା କରିବା ପରେ ସୌଦାମିନୀଙ୍କ ବାପଘର ଲୋକଙ୍କୁ ଖବର ଦିଆଯାଇଥିଲା । ବାପଘର ଲୋକେ ପହଞ୍ଚିବା ପରେ ସୌଦାମିନୀଙ୍କ ମା’ ମାମା ସ୍ୱାଇଁ ଏନେଇ ଏତଲା ଦେଇଥିଲେ । ମାମା ଅଭିଯୋଗ କରିଛନ୍ତି ଯେ, ୭ ବର୍ଷ ତଳେ ଝିଅ ସୌଦାମିନୀ ଓ ବାଦଲଙ୍କ ବିବାହ ହୋଇଥିଲା । ଏବେ ତାଙ୍କର ୪ ବର୍ଷର ପୁଅଟିଏ ଅଛି । କିନ୍ତୁ ଦୀର୍ଘଦିନ ଧରି ଉଭୟଙ୍କ ମଧ୍ୟରେ କଳହ ଲାଗି ରହୁଥିଲା । ଶୁକ୍ରବାର ରାତିରେ ସୌଦାମିନୀଙ୍କ ଗଳା ଚିପି ହତ୍ୟା କରିଥିଲା ବାଦଲ । ନିସ୍ତୁକ ମାଡ଼ ମାରିବା ସହ ବେକରେ ତାଙ୍କ ଓଢ଼ଣୀକୁ ଗୁଡ଼ାଇ ଏଭଳି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଶ୍ରୀଜଗନ୍ନାଥ ମେଡିକାଲ୍ କଲେଜ୍‌ରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲା ବାଦଲ । ସୌଦାମିନୀ ଏକ ନିଶା ନିବାରଣ କେନ୍ଦ୍ରରେ କର୍ମଚାରୀ ଥିଲେ । ବାପଘର ଲୋକେ ପୁଲିସକୁ କହିଛନ୍ତି ଯେ, ସୌଦାମିନୀ ବହୁ ଟଙ୍କା କରଜ କରିଥିଲେ । ଦାମ୍ପତ୍ୟ କଳହ ସମ୍ପର୍କରେ ପୁଲିସକୁ ଅନେକ ତଥ୍ୟ ଦେଇଛି ବାଦଲ ।

Leave A Reply

Your email address will not be published.