ଜହ୍ନାପଙ୍କ : ବୌଦ୍ଧ ଥାନା ଜହ୍ନା ପଙ୍କ ଫାଣ୍ଡି ଅନ୍ତର୍ଗତ ତେଲିବନ୍ଧ ପଞ୍ଚାୟତର ଚନ୍ଦ୍ରପୁର ଗାଁରେ ଘରୋଇ କଳହ ନେଲା ଜୀବନ । ସ୍ତ୍ରୀକୁ କୋଡିରେ ହାଣି ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ । ହତ୍ୟା କରିବା ପରେ ଘରେ ରକ୍ତାକ୍ତ ମୃତଦେହ ଛାଡ଼ି ଫେରାର ହୋଇଗଲା ପତ୍ନୀହନ୍ତା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ପ୍ରାପ୍ତ ସୂଚନା ଅନୁସାରେ, ଚନ୍ଦ୍ରପୁର ଗାଁର ପୂର୍ଣ୍ଣ ପ୍ରଧାନ ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟାରେ ସ୍ତ୍ରୀ କନକ ପ୍ରଧାନଙ୍କ ସହ ପାଟିତୁଣ୍ଡ ହୋଇ ଥିଲା । ତା’ପରେ ପୂର୍ଣ୍ଣ ରାଗିଯାଇ ସ୍ତ୍ରୀ କନକକୁ ଜୋରରେ ପିଟିଥିଲେ ଏବଂ କୋଡିରେ ଆକ୍ରମଣ କରିଥିଲେ । ଫଳରେ ସ୍ତ୍ରୀ କନକଙ୍କ ମୃତ୍ୟୁ ହୋଇଥିଲା । ପରେ ଘର ଭିତରେ ସ୍ତ୍ରୀର ମୃତଦେହ ରଖି ଦେଇ ଘରୁ ଫେରାର ମାରିଥିଲା ପତ୍ନୀହନ୍ତା । ଶନିବାର ସକାଳେ ଜହ୍ନାପଙ୍କ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଚଳାଇଛନ୍ତି । ତେବେ ଅଭିଯୁକ୍ତଙ୍କ ବାପା ଘରେ ଥିବା ବେଳେ ଘଟଣା ବେଳେ ଭୟରେ ବାହାରକୁ ପଳାଇ ଯାଇଥିଲେ । ଦୁଇ ପୁଅ ବାହାରକୁ କାମ କରିଯାଇଥିବା ବେଳେ ଝିଅ ବାହା ହୋଇ ସାରିଥିବା ଜଣାପଡିଛି । ତେବେ ପୂର୍ବର ଅନେକ ଥର ସ୍ବାମୀ- ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିବା ଗ୍ରାମବାସୀ କହିଛନ୍ତି ।