ଲୋଇସିଂହା, (ବିମଳେନ୍ଦୁ ସାହୁ) : ଗତ ୨୦୨୨ ମସିହା ବାହୁଡ଼ା ଯାତ୍ରା ଦିନ ବଲାଙ୍ଗିର ଜିଲ୍ଲା ସଦର ଥାନା ଅନ୍ତର୍ଗତ ସଦେଇପାଲି ଠାରେ ଘଟିଥିବା ଏକ ଲୋମଟାଙ୍କୁରା ହତ୍ୟା ମାମଲାର ଚୁଡାନ୍ତ ରାୟ ଜିଲ୍ଲା ସେସନସ କୋର୍ଟରେ ପ୍ରକାଶ ପାଇଛି । ମାନ୍ୟବର ବିଚାରପତି ହିମାଂଶୁ ଶେଖର ସିଂ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ବଲାଙ୍ଗିର ସଦର ଥାନା ସଦେଇପାଲି ଗ୍ରାମର ସଞ୍ଜୀବ ମୁଗ୍ରୀ, ପଥରଚେପାର ଶିବ ନାଗ ଓ ହାତୀଶାଳପଡ଼ାର ବିଶାଳ ସୁନାଙ୍କୁ ଆଜୀବନ ଜେଲ ତଥା ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡାଦେଶ ରହିଥିବା ଜଣାଯାଇଛି । ସୂଚନା ମତେ, ବଲାଙ୍ଗିର ସଦର ଥାନା ସଦେଇପାଲିରେ ଅଭିଯୁକ୍ତ ସଞ୍ଜୀବ ମୁଗ୍ରୀଙ୍କ ଏକ ପାନ ଦୋକାନ ରହିଛି । ବଲାଙ୍ଗିର ସହର ବରପାଲି ପଡ଼ାର ସୁଧୀର ବେହେରା ଓ ସାଥୀ ତଥା ଅଭିଯୁକ୍ତ ମାନଙ୍କ ମଧ୍ୟରେ ପୂର୍ବରୁ ଗୋଷ୍ଠିଗତ ଶତ୍ରୁତା ରହିଥିଲା । ଘଟଣା ଦିନ ସୁଧୀର ବେହେରା ଏବଂ ତାଙ୍କ ସାଥୀମାନେ ସଦେଇପାଲିକୁ ବାହୁଡ଼ା ଯାତ୍ରା ଦେଖିବାକୁ ଯାଇଥିଲେ । ଏହି ଅବସରରେ ସେମାନେ ସଂଜୀବଙ୍କ ଦୋକାନକୁ ଯାଇଥିଲେ । ସେଠାରେ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ହେବା ପରେ ସଞ୍ଜୀବ ମୁଗ୍ରୀ, ବିଶାଳ ସୁନା ଓ ଶିବ ନାଗ ମିଳିତ ଭାବେ ସୁଧୀରଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଖବର ପାଇ ଗୁରୁତର ଅବସ୍ଥାରେ ସୁଧିରଙ୍କୁ ପରିବାର ଲୋକେ ପ୍ରଥମେ ସ୍ଥାନୀୟ ଭୀମଭୋଇ ମେଡିକାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ବୁର୍ଲା ମେଡିକାଲ ଓ ପରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ସେଠାରେ ସୁଧୀରଙ୍କ ମୃତ୍ୟୁ ହୋଇଯାଇଥିଲା । ଏନେଇ ମୃତକଙ୍କ ଭଉଣୀ ବିଷ୍ଣୁପ୍ରିୟା ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରିଥିଲା । ତତ୍କାଳୀନ ବଲାଙ୍ଗିର ସଦର ଥାନାର ସବ ଇନ୍ସପେକ୍ଟର ତଥା ତଦନ୍ତକାରୀ ଅଧିକାରୀ ଓ ବର୍ତ୍ତମାନ ଆଗଲପୁର ଥାନା ଅଧିକାରୀ ଭାବେ କାର୍ଯ୍ୟରତ ବାସୁଦେବ ଭୋଇ ଘଟଣା ଦିନ ହିଁ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଏଥିସହିତ ତାଙ୍କର ଅକ୍ଲାନ୍ତ ଉଦ୍ୟମ ତଥା ଠିକ୍ ସମୟରେ ଚାର୍ଜସିଟ ଓ ସମସ୍ତ ସାକ୍ଷ୍ୟ ପ୍ରମାଣ କୋର୍ଟରେ ଦାଖଲ କରାଯାଇଥିବା ଯୋଗୁଁ ହତ୍ୟା ମାମଲାର ଅଭିଯୁକ୍ତମାନେ ଦଣ୍ଡ ପାଇଥିବା ଜଣାଯାଇଛି ।