ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର : ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଗୀତା ଭବନ ଚିର୍କା ଯିବା କେନାଲ ରାସ୍ତାର ଏକ ଖଳା ପାଖରେ ଥିବା ପୋଖରୀରୁ ଏକ ଯୁବକଙ୍କ ମୃତଦେହ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି । ଯୁବକ ଜଣକ ଜୟପାଟଣା ବ୍ଲକ ପଡାର ସୀତାରାମ ନାଏକଙ୍କ ବଡ଼ ପୁଅ ପ୍ରମୋଦ ନାଏକ(୩୧)ବୋଲି ଜଣାପଡ଼ିଛି । ପରିବାର ପକ୍ଷରୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହା ଏକ ସୁପରିକଳ୍ପିତ ହତ୍ୟା କାଣ୍ଡ ବୋଲି ଅଭିଯୋଗ ହୋଇଛି । ପ୍ରମୋଦ ଗତ ରାତି ୮ଟା ସମୟରେ କେହି ଜଣେ ଫୋନ କରିବାରୁ ଘରୁ ବାହାରି ଆଉ ଘରକୁ ଫେରିନଥିଲେ । କିନ୍ତୁ ସକାଳୁ ଏକ ନିଛାଟିଆ ପୋଖରୀରେ ତାଙ୍କ ମୃତଦେହ ଭାସୁଥିବା ଦେଖା ଯାଇଥିଲା । ପ୍ରମୋଦଙ୍କ ଦୁଇ ପୁଅ ଓ ସ୍ତ୍ରୀ ଥିବା ବେଳେ ସେ ୱାଟର ସର୍ଭିସିଂ କାମ କରି ପରିବାର ପ୍ରତିପୋଷଣ କରୁଥିଲେ । ପୋଲିସ ପ୍ରଶାସନ ପକ୍ଷରୁ ତଦନ୍ତ କରି ଦୋଷୀ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ବର୍ତ୍ତମାନ ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.