ଲାଲବାହିନୀର ବର୍ବର କାଣ୍ଡ : ପୋଲିସ ଇନ୍‌ଫର୍ମର ସନ୍ଦେହରେ ଯୁବକଙ୍କୁ ନିର୍ମମ ହତ୍ୟା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ): କିଛି ଦିନର ନିରବତା ପରେ ଲାଲବାହିନୀ କନ୍ଧମାଳ ଜିଲ୍ଲାରେ ରକ୍ତମୁଖା ହୋଇଉଠିଛି । ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ମାଓବାଦୀ ନିର୍ମମ ଭାବେ ହତ୍ୟା କରିଛନ୍ତି । ସିପିଆଇ ମାଓବାଦୀ ବାଘୁନା ଡିଭିଜିନାଲ୍‌ କମିଟି ଯୁବକକୁ ହତ୍ୟା କରିଥିବା ମାଓବାଦୀ ପୋଷ୍ଟର୍‌ରେ ଉଲ୍ଲେଖ କରିଛନ୍ତି । ଘର ଠାରୁ କିଛି ଦୂରରେ ଯୁବକକୁ ହତ୍ୟା କରିବା ପରେ ଧମକପୂର୍ଣ୍ଣ ମାଓ ପୋଷ୍ଟର୍‌ ଛାଡି ଚାଲି ଯାଇଛନ୍ତି । ହତ୍ୟାର ଶିକାର ହୋଇଥିବା ଯୁବକ ଜଣକ କୋଟଗଡ ଥାନା ଦୁର୍ଗାପାଙ୍ଗା ପଂଚାୟତର ବାଡ଼ିପଙ୍ଗା ଗାଁର ମେଟଲା ରଇତ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ବାଡ଼ିପଙ୍ଗା ଗାଁର ମେଟଲା ରଇତକୁ ମାଇବାଦୀ ପୋଲିସ ଇନ୍‌ଫର୍ମର ସନ୍ଦେହରେ ଗତ ଶନିବାର ବିଳମ୍ବିତ ରାତିରେ ସଶସ୍ତ୍ର ମାଓବାଦୀ ତାଙ୍କୁ ଘରୁ ଡାକି ନେଇଥିଲେ । ଆଉ ପରେ ତାଙ୍କର କୌଣସି ପତ୍ତା ମିଳିନଥିଲା । ହେଲେ ସୋମବାର ଗାଁ ନିକଟରେ ତାଙ୍କର ମୃତଦେହ ପଡିଥିବା ସହ ଧମକପୂର୍ଣ୍ଣ ମାଓ ପୋଷ୍ଟର୍‌ ପଡିଥିଲା । ଏମିତି କି ମେଟଲାର ମୃତ୍ୟୁ ପାଇଁ ନବୀନ ଓ ମୋଦି ସରକାର ଦାୟୀ ବୋଲି ଲେଖାଥିବା ପୋଷ୍ଟରରେ ଲେଖାଯାଇଛି । ମେଟଲା ଭଳି ଯେଉଁମାନେ ଦଲାଲ କାମ କରୁଛନ୍ତି, ସେମାନେ ନିଜର ଭୁଲକୁ ମାନି ପାର୍ଟି ପାଖରେ କ୍ଷମା ମାଗନ୍ତୁ ନଚେତ ଏରିଆ ଛାଡି ଚାଲି ଯାଆନ୍ତୁ, ନଚେତ ମେଟଲା ଭଳି ଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ମାଓବାଦୀ ନୃଶଂସ ଭାବେ ମେଟଲାକୁ ହତ୍ୟା କରିବା ପରେ ପରିବାର ସମେତ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି । କୋଟଗଡ ପୋଲିସ ଖବର ପାଇ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Leave A Reply

Your email address will not be published.