ନୂଆପଡାରେ ମାଓ ତାଣ୍ଡବ : ଇନଫର୍ମର ସନ୍ଦେହରେ ଯୁବକଙ୍କୁ ଘରୁ ଉଠାଇ ନେଇ ହତ୍ୟା

ନୂଆପଡା, (ନିରାକାର ମେହେର) : ପୁଣି ଜିଲ୍ଲାରେ ନିଜର ଦୃଢ ଉପସ୍ଥିତି ଜାହିର କଲେ ମାଓବାଦୀ । ଆଉ ଜିଲ୍ଲାର ମାଓ ଅଧ୍ୟୁଷିତ ସୁନାବେଡା ଅଭୟାରଣ୍ୟରେ ତାଣ୍ଡବ ରଚିଛନ୍ତି । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ଘରୁ ଉଠାଇ ନେଇ ମାଓବାଦୀମାନେ ହତ୍ୟା କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଛତିଶଗଡ଼ ରାଜ୍ୟ ନାଗରା ଗ୍ରାମର ଯୁବକ ଅନନ୍ତ ରାମ ରାଉତ ସୁନାବେଡା ଅଭୟାରଣ୍ୟ ସ୍ଥିତ ଢେକୁନପାନୀ ଗାଁର ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ । ଏହାପରେ ସେମାନେ ଢେକୁନପାନୀ ଗାଁରେ ହିଁ ଦୀର୍ଘ ବର୍ଷରୁ ରହି ଆସୁଥିଲେ । ଯୁବକ ଅନନ୍ତ ରାମଙ୍କ କାର୍ଯ୍ୟକଳାପରେ ମାଓବାଦୀ ସନ୍ଦେହ କରି ତାଙ୍କୁ ପୋଲିସ ଇନଫର୍ମର ବୋଲି ଭାବିଥିଲେ । ଏହାପରେ ଯୁବକ ଜଣକ ଗତକାଲି ମଧ୍ୟ ରାତ୍ରିରେ ନିଜ ଘରେ ଶୋଇଥିବା ବେଳେ ମାଓବାଦୀମାନେ ତାଙ୍କୁ ଉଠାଇ ଆଣି ଗାଁ ମୁଣ୍ଡରେ ଗୁଳି କରି ହତ୍ୟା କରିଛନ୍ତି । ଦୁର୍ଗମ ଅଞ୍ଚଳ ହୋଇଥିବା କାରଣରୁ ଏପର୍ଯ୍ୟନ୍ତ ଘଟଣା ସ୍ଥଳରେ ପୋଲିସ ପ୍ରଶାସନ ପହଞ୍ଚିପାରି ନାହିଁ ।

Leave A Reply

Your email address will not be published.