
ବେଲପଡା : ମାର୍କେଟିଂ କରିବାକୁ ଯାଇ ନିଖୋଜ ହୋଇଥିବା ଯୁବକଙ୍କ ମୃତଦେହ ରାୟପୁରର ଏକ ରେଳ ଧାରଣାରେ ମିଳିଛି । ସେପଟେ ତଦନ୍ତ ଓ ମୃତଦେହ ଉଦ୍ଧାର ଦାବି କରି ରାସ୍ତାରୋକ କରାଯାଇଛି । ସୂଚନା ମୁତାବକ, ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ତଲପଡାର ପ୍ରଶାନ୍ତ ନିଆଲ ଗତ ୮ ତାରିଖରୁ ସାଙ୍ଗମାନଙ୍କ ସହ ରାୟପୁରକୁ ଯାଇଥିଲେ । ସେଠାରୁ ମାର୍କେଟିଂ ସାରି ଟ୍ରେନ୍ ଯୋଗେ କଣ୍ଟାବାଞ୍ଜି ଆସୁଥିଲେ । ବାଟରେ ପ୍ରଶାନ୍ତ ନିଖୋଜ ହୋଇଥିବା ତାଙ୍କ ସାଙ୍ଗ ମାନେ ଘରକୁ ଜଣାଇଥିଲେ । ଏସମ୍ପର୍କରେ ପରିବାର ଲୋକେ ବେଲପଡା ଥାନାରେ ଅଭିଯୋଗ ଦେବା ପରେ ମୃତକ ପ୍ରଶାନ୍ତଙ୍କ ୩ ଜଣ ସାଙ୍ଗକୁ ବେଲପଡା ପୁଲିସ ଥାନାକୁ ଆଣି ଅଟକ ରଖି ଛାଡି ଦେଇଥିଲା । ପରେ ରାୟପୁର ସ୍ଥିତ ଆରଙ୍ଗ ଥାନା ନିକଟ ଟ୍ରେନ୍ ଲାଇନରେ ପ୍ରଶାନ୍ତଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ଶୁକ୍ରବାର ସକାଳ ପ୍ରାୟ ୭ ଟା ବେଳେ ମୃତକଙ୍କ ପରିବାର ଓ ସମ୍ପର୍କୀୟ ଥାନାକୁ ଆସି ଥାନାଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହାପରେ ବେଲପଡାରେ ଥାନା ସମ୍ମୁଖରେ ମୁଖ୍ୟ ରାସ୍ତାକୁ ଅବରୋଧ କରି ଦୋଷୀଙ୍କୁ ଗିରଫ ଦାବି ସହ ଶବକୁ ଘରକୁ ଆଣିବା ପାଇଁ ଅଡ଼ି ବସିଛନ୍ତି ।