ଠେଙ୍ଗାରେ ପିଟି ପିଟି ଯୁବକଙ୍କୁ ହତ୍ୟା

ନୂଆପଡ଼ା, (ଅଜିତ ବେହେରା) : ନୂଆପଡ଼ା ଜିଲ୍ଲା ଖରିଆର ଥାନା ଅନ୍ତର୍ଗତ ଗୋଶାଳାପଡ଼ା ନିକଟରେ ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଖଡ଼ିଆଳ ଥାନାରେ ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି । ସୁଚନା ମୁତାବକ, ରବିବାର ଦିନ ଲକ୍ଷ୍ମୀପୁର ପଡ଼ାର ସୁରେଶ ବାରିକ ଗୋଶାଳାପଡ଼ାକୁ କୌଣସି କାମରେ ଯାଇଥିଲେ । ତେବେ ସେହି ପଡ଼ାର ବେଣୁଧର ମାଝୀ ଓ ସୁରେଶଙ୍କ ଭିତରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ବେଣୁଧର ମାଝୀ ସୁରେଶଙ୍କ ମୁଣ୍ଡରେ ପ୍ରହାର କରିଥିଲେ । ତେବେ ଘଟଣାସ୍ଥଳରେ ହିଁ ସୁରେଶ ରାସ୍ତାରେ ପଡ଼ିଯାଇଥିଲେ । ସ୍ଥାନୀୟ ଲୋକେ ସୁରେଶଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଏକ ଗାଡ଼ି ଯୋଗେ ମିଶନ ହସ୍ପିଟାଲକୁ ନେଇ ଭର୍ତ୍ତି କରିଥିଲେ । ପରେ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ମା’ ଯଜ୍ଞସେନୀ ବାରିକ ପଡ଼ାର ଲୋକଙ୍କୁ ଧରି ରାଜପଥରେ ଶବକୁ ରଖି ଖଡ଼ିଆଳ ଥାନା ନିକଟରେ ରାଜପଥକୁ ଅବରୋଧ କରିଥିଲେ । ଅଭିଯୁକ୍ତଙ୍କୁ ଗିରଫ ଦାବି ପରେ ଖଡ଼ିଆଳ ପୋଲିସ ବେଣୁଧର ମାଝୀଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରହିଛି ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.