
ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇରେ ଗୋଠଛଡ଼ା ଦନ୍ତା ହାତୀର ଉପଦ୍ରବ । ସୋମବାର ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ତେଲକୋଇ ରେଞ୍ଜ୍ ଖୁଣ୍ଟାପଡା ଗାଁ ତଳସାହିରେ ପଶି ତପସ୍ଵିନୀ ସେଠୀଙ୍କ ଘର ଭାଙ୍ଗି ଧାନଚାଉଳ ଖାଇବା ସହ ଦଇତାରି ସାହୁଙ୍କ ମୁଗବାଡିରେ ପଶି ମୁଗ ଫସଲକୁ ନଷ୍ଟ କରିଦେଇଛି । ସେପଟେ ପ୍ରଶାନ୍ତ ନାୟକଙ୍କ ଅଟୋକୁ ହାତୀ ଭାଙ୍ଗି ଦେଇଛି । ତାଙ୍କ ଭାଇ ଅଟୋରେ ଶୋଇଥିବା ବେଳେ ପଛପଟୁ ଅଟୋକୁ ଦାନ୍ତରେ ଭୂଷି ଦେଇଥିଲା । ତେବେ ଦନ୍ତା ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପ୍ରଶାନ୍ତଙ୍କ ଭାଇ ଚିତ୍ରସେନ । ସେପଟେ ଗାଁରେ ଏକ କଦଳୀ ବଗିଚା ମଧ୍ୟ ନଷ୍ଟ କରିଦେଇଛି । ଗାଁ ଲୋକମାନେ ନିଆଁହୋଳା ସାହାଯ୍ୟରେ ଦନ୍ତାହାତୀକୁ ସେଠାରୁ ଘଉଡ଼ାଇଛନ୍ତି । ଅପର ପକ୍ଷରେ ବନବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି ଫଳରେ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।