ଢେଙ୍କାନାଳ, (ତାପସ ଦାସ) : ହାତୀ ଆକ୍ରମଣ ଏବଂ ହାତୀ ମୃତ୍ୟୁ ଘଟଣା ଧୀରେ ଧୀରେ ବଢିବାକୁ ଲାଗିଥିବା ବେଳେ ବନ ବିଭାଗର ଅପାରଗ ହେଉ କିମ୍ବା ସ୍ଥାନୀୟ ପ୍ରଶାସନର ନିଷ୍କ୍ରିୟତାରୁ ସାଧାରଣ ଲୋକ ବଳି ପଡୁଥିବା ବେଳେ ପୁଣି ଏହିପରି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଗଂଦିଆ ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମରେ । ହାତୀର ଅତର୍କିତ ଆକ୍ରମଣରେ ବୃଦ୍ଧଙ୍କ ଜୀବନ ଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଫକୀର ନାୟକ ନାମକ ଜଣେ ବ୍ୟକ୍ତି ଶୌଚ ହେବା ପାଇଁ ନିଜ ଘର ପାଖ ଶୌଚାଳୟକୁ ଭୋର ସକାଳ ସମୟରେ ଯାଉଥିବା ସମୟରେ ନିଜ ଖଳାରେ ରଖାଯାଇଥିବା ଧାନକୁ ଏକ ଦନ୍ତା ହାତୀ ଖାଉଥିବାର ଦେଖିଥିଲେ । ଟର୍ଚ୍ଚ ଆଲୋକଟି ହାତୀ ଉପରେ ପଡିବା ଦ୍ୱାରା ହାତୀଟି ରାଗି ଯାଇ ଅତର୍କିତ ଭାବେ ଫକୀର ନାୟକଙ୍କ ଉପରେ ଆକ୍ରମଣ କରିଥିଲ । ତାଙ୍କ ପୁତ୍ର ଅଳ୍ପକେ ବଞ୍ଚି ଯାଇଥିବା ବେଳେ ବଞ୍ଚି ପାରି ନ ଥିଲେ ଫକୀର ନାୟକ । ହାତୀଟି ନିଜ ଶୁଣ୍ଢ ଦ୍ୱାରା ମୃତକ ନାୟକଙ୍କୁ ଫିଙ୍ଗି ଦେବା ସହ ତାଙ୍କ ମୁଣ୍ଡକୁ ନିଜ ଗୋଡ଼ ଦ୍ୱାରା ଦଳି ପକାଇଥିଲା ଯାହା ଫଳରେ ଘଟଣା ସ୍ଥଳରେ ତାଙ୍କ ପ୍ରାଣ ଚାଲିଯାଇଥିଲା । ତେବେ ଖବର ପାଇ ଗଂଦିଆ ପୋଲିସ ଏବଂ କପିଳାଶ ବନ ବିଭାଗ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହ ମୃତକ ନାୟକଙ୍କ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ତେବେ କେନ୍ଦ୍ରାପଡାରୁ ଆସିଥିବା ନରହନ୍ତା ହାତୀଟି ଏପରି କରିଛି ବୋଲି ଜନ ସାଧାରଣରେ ଗୁଜବ ଉଠିଛି । ତେବେ ଏଠି ପ୍ରଶ୍ନ ଉଠୁଛି ହାତୀ ଆଉ ମଣିଷ ମଧ୍ୟରେ ଏହି ଛକା ପଞ୍ଝା ଆଉ କେତେ ଦିନ, ବାରମ୍ବାର ହାତୀ ଜନ ବସତି ଅଞ୍ଚଳରୁ ପଶି ଆସୁଥିବା ବେଳେ ଏ ନେଇ ବନ ବିଭାଗର ଆଖି କେବେ ଖୋଲୁଛି ତାହା ଦେଖିବାକୁ ବାକି ରହିଲା ବୋଲି ଚର୍ଚ୍ଚା ହେଉଛି ।