ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଧାମୁଣିପଙ୍ଗା ପଞ୍ଚାୟତର ରାବୁଗୁଡା ଗ୍ରାମରେ ଅମଳ କରିବା ଧାନକୁ ଖାଇ ନଷ୍ଟ କଲେ ଦୁଇ ଦନ୍ତାହାତୀ । ସୂଚନା ଅନୁଯାୟୀ ରାବୁଗୁଡା ଗ୍ରାମର ଭୀମ କର୍ଷିକା ଗୁରୁବାର ରାତିରେ ନିଜ ବିଲରେ ଅମଳ କରିଥିବା ଧାନ ଗୁଡିକୁ ଅସ୍ଥାୟୀ କୁଡ଼ିଆ ବା ଖଳାରେ ରଖି ଶୋଇଥିବା ବେଳେ ଦୁଇ ଦନ୍ତାହାତୀ ଆସି ରଖିଥିବା ୮ ପ୍ୟାକେଟ ବା ୧୦ କ୍ୱିଣ୍ଟାଲ ଧାନକୁ ଖାଇ ଫିଙ୍ଗାଫିଙ୍ଗି କରିଦେଇଛନ୍ତି । ଯାହା ଫଳରେ ଭୀମଙ୍କ ଅଧିକରୁ ଅଧିକ କ୍ଷତି ହୋଇଛି ଏବଂ ତାଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବରୁ ସରକାରଙ୍କୁ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଏ ବିଷୟରେ ବନାଞ୍ଚଳ ଅଧିକାରୀ ଚନ୍ଦନ ଗମାଙ୍ଗଙ୍କୁ ଯୋଗାଯୋଗ କରିବାରୁ ଏହାର ତଦନ୍ତ କରି ରିପୋର୍ଟ ପଠାଇଲେ ସରକାରୀ ଅନୁକମ୍ପା ହିସାବରେ ଯାହା ଅଛି ତାହା ପାଇବେ ବୋଲି କହିଛନ୍ତି ।