ହାତୀ ଉପଦ୍ରବ : ୨ଟି ଘର ଭାଙ୍ଗିବା ସହ ଧାନଚାଉଳ ଖାଇଗଲା ଦନ୍ତା

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ କନ୍ତଲେଇ ଗାଁରେ ହାତୀ ଉପଦ୍ରବ କରିଥିବା ଖବର ମିଳିଛି । ଗତକାଲି ବିଳମ୍ବିତ ରାତିରେ ଗାଁରେ ପଶି ଦୁଇଟି ଘର ଭାଙ୍ଗିବା ସହ ଧାନଚାଉଳ ଖାଇ ଯାଇଥିବା ଜଣାପଡିଛି । ସୂଚନାନୁଯାୟୀ, ୠତକାଲି ବିଳମ୍ବିତ ରାତି ୧୧ଟା ବେଳେ ଏକ ଗୋଠଛଡ଼ା ଦନ୍ତା ତେଲକୋଇ ରେଞ୍ଜ୍ କନ୍ତଲେଇ ଗାଁରେ ପଶି ଖଗେଶ୍ୱର ପାତ୍ର ଓ ସୁନିଆଁ ମୁଣ୍ଡାଙ୍କ ଘର ଭାଙ୍ଗିବା ସହ ଧାନଚାଉଳ ଖାଇଯାଇଛି । ଖଗେଶ୍ୱର ତାଙ୍କ ପରିବାର ସହ ଘରେ ଶୋଇଥିବା ବେଳେ ପ୍ରଥମେ ଦନ୍ତାହାତୀ ଘରର କବାଟକୁ ଭାଙ୍ଗିଥିଲା । ପରେ ଘରର ପଛପାଖ କାନ୍ଥକୁ ଭାଙ୍ଗି ଡୋଲିରେ ଥିବା ଧାନ ଓ ବସ୍ତାରେ ଥିବା ଧାନକୁ ଖାଇଯାଇଥିଲା । ଭୟରେ ପରିବାର ଲୋକେ ଦୌଡ଼ି ଘର ବାହାରକୁ ଚାଲି ଯାଇଥିଲେ । ଦନ୍ତାହାତୀକୁ ଘଉଡାଇବା ପାଇଁ ଖଗେଶ୍ଵର ନିଆଁ ଦେଖାଇଥିଲେ ମଧ୍ୟ ହାତୀ ଯାଇନଥିଲା । ପରେ ସାହି ଲୋକଙ୍କୁ ଖଗେଶ୍ଵର ଫୋନ୍ କରିଥିଲେ । ସାହିଲୋକେ ଟ୍ରାକ୍ଟର ଧରି ଆସି ହାତୀକୁ ଘଉଡାଇଥିଲେ । ସେପଟେ ଗାଁର ସୁନିଆଁ ମୁଣ୍ଡାଙ୍କ ଘରର ଚାଳକୁ ମଧ୍ୟ ଭାଙ୍ଗି ଦେଇଛି ଦନ୍ତା । ଚାଳ ଭାଙ୍ଗିବା ଦେଖି ଘର ଲୋକେ ଦୌଡ଼ି ପଳାଇ ଯାଇଥିଲେ । ଦିନବେଳା ପାଖ ଜଙ୍ଗଲରେ ଦନ୍ତା ରହୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ସନ୍ଧ୍ୟା ହେଲେ ଲୋକମାନେ ଘରୁ ବାହାରିବାକୁ ଭୟ କରୁଛନ୍ତି । ତେବେ ବନ ବିଭାଗ ପକ୍ଷରୁ ଏଯାଏଁ କୌଣସି ପଦକ୍ଷେପ ନିଆଯାଇଛି କି ନାହିଁ ସେନେଇ କୌଣସି ଖବର ମିଳିନାହିଁ ।

Leave A Reply

Your email address will not be published.