centurian jitm

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ସହରରେ ହତାଦର ଅଙ୍ଗନୱାଡ଼ି କର୍ମୀ : ଦରଦାମ ବୃଦ୍ଧିରେ ପକେଟକୁ ବାଧୁଛି ଅର୍ଥ, କାହାର ନାହିଁ ଗୃହ ତ’ କାହାର ସାହାରା ସାଜିଛି ଗଛ

nschool

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଅନେକ ସମୟରେ ମାଷ୍ଟର ଷ୍ଟ୍ରୋକ ମାରି ବେଶ ଚର୍ଚ୍ଚାରେ ରହିଥାନ୍ତି ରାଜ୍ୟ ମୁଖିଆ ନବୀନ ପଟ୍ଟନାୟକ । ଗର୍ଭବତୀ ମହିଳା ଠୁ ନେଇ ଶିଶୁ ଜନ୍ମ ପର୍ଯ୍ୟନ୍ତ ଯୋଜନା ପରେ ଯୋଜନା ରେ ପାଣି ଭଳି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ଯୋଜନା ଗୁଡିକ ଦୀର୍ଘ ମିୟାଦି ନ ହୋଇ ଅଧ ବାଟରେ ବାଟ ବଣା ହେଉଛି ତ କେଉଁଠି ଯୋଜନା ନାମରେ ହରିଲୁଟ ହେଉଛି । ତେବେ ରାଜ୍ୟ ସରକାର ଗର୍ଭବତୀ ମହିଳା ମାନଙ୍କୁ ପୁଷ୍ଟିସାର ଖାଦ୍ୟ ସହ କୁନି କୁନି ପିଲା ମାନଙ୍କ ପାଇଁ ଅଙ୍ଗନୱାଡ଼ି କେନ୍ଦ୍ର ମାଧ୍ୟମରେ ଅନେକ ସାମଗ୍ରୀ ଯୋଗାଇ ଦେଉଥିବାର ଡିଣ୍ଡିମ ପିଟୁଥିବା ବେଳେ ଏବେ ଏହାର ବ୍ୟତିକ୍ରମ ଦେଖା ଦେଇଛି ଟିଟିଲାଗଡ଼ ସହରରେ । ଗତକାଲି ଟିଟିଲାଗଡ଼ ସହରସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଟିଟିଲାଗଡ଼ ପୌରପରିଷଦ ଏବଂ ଟିଟିଲାଗଡ଼ ବ୍ଲକ ଅଧିନସ୍ଥ ଅନେକ ଅଙ୍ଗନୱାଡ଼ି କେନ୍ଦ୍ରର କର୍ମୀମାନଙ୍କ ଏକ ବୈଠକ ଜିଲ୍ଲା ସଭାପତି ବିନୋଦିନୀ ପୁଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବର୍ତ୍ତମାନ ପରିସ୍ଥିତିରେ ଦେଖା ଦେଇ ଥିବା ଅନେକ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଉପସ୍ଥିତ ଅଙ୍ଗନୱାଡ଼ି କର୍ମୀ ମାନେ ସରକାରଙ୍କ ପୂର୍ବ ପ୍ରଚଳିତ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡିକର ଦରକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ବର୍ତମାନ ସମୟରେ ଖାଇବା ତେଲ ଲିଟର ପିଛା ଦୁଇ ଶହ ଟଙ୍କା ଛୁଇଁ ଥିବା ବେଳେ ପନିପରିବା ଦର ମଧ୍ୟ ଆକାଶ ଛୁଆଁ ହେଲାଣି । ଆଉ ଏବେ ଅଣ୍ଡା ଗୋଟିକର ଦାମ୍‌ ମଧ୍ୟ ସାତ ଟଙ୍କା ଉପରେ ରହିଛି । ହେଲେ ସରକାର ପୂର୍ବ ପ୍ରଚଳିତ ଦର ୭.୭୦ ପଇସା ପିଲା ପିଛା ଯୋଗାଇ ଦେଉଥିବା ବେଳେ କର୍ମୀ ମାନଙ୍କୁ ପିଲା ପିଛା ୧୨ ଟଙ୍କା ଖର୍ଚ୍ଚ ହେଉଥିବା କହିଛନ୍ତି ଏବଂ ଅତି ସ୍ୱଳ୍ପ ବେତନ ପାଉଥିବାରୁ ଅତିରିକ୍ତ ବୋଝ ସେମାନଙ୍କ ଉପରେ ବୋଝ ଉପରେ ନଳିତା ବିଡା ଭଳି ସାଜିଛି । ପୁଣି ଅନେକ ସମୟରେ ହିତାଧିକାରୀ ମାନଙ୍କ ନାଲି ଆଖିର ଶିକାର ହେବାକୁ ପଡୁଥିବା କର୍ମୀମାନେ ଅଭିଯୋଗ କରିଛନ୍ତି । ସରକାର ଯେଉଁ ଲିଷ୍ଟ ଜାରି କରିଛନ୍ତି ବର୍ତମାନ ସେହି ଅନୁପାତରେ ଅର୍ଥ ଦେଉ ନ ଥିବାରୁ ଏବେ ଅତିରିକ୍ତ ଦରର ବୋଝ ବି ସେମାନଙ୍କୁ ଭରଣା କରିବାକୁ ପଡୁଥିବା ବିଷୟ ଅଭିଯୋଗ କରିଛନ୍ତି କର୍ମୀ ମାନେ । ରାଜ୍ୟରେ ମହିଳା ଓ ଶିଶୁ ମାନଙ୍କ ବିକାଶ ନେଇ ଅନେକ ଯୋଜନା କରି ବଡ଼ ବଡ଼ ଵିଜ୍ଞାପନରେ ନିଜର ପ୍ରଚାର ପ୍ରସାରରେ ବ୍ୟସ୍ତ ରହୁଥିବା ସରକାର ଯିଏ ଯୋଜନା ଗୁଡିକ କାର୍ଯ୍ୟକାରୀ କରୁଛି ସେମାନଙ୍କ ଉପରେ ଦୃଷ୍ଟି ଦେଉନଥିବା ଅଭିଯୋଗ ଆଣିଛି ଅଙ୍ଗେନୱାଡି ସଂଘ । ଏମିତିକି ଗର୍ଭବତୀ ମହିଳା ମାନଙ୍କ ପାଇଁ ମଧ୍ୟ କେତେ କଣ ପୁଷ୍ଟିକର ଖାଦ୍ୟର ପସରା ମେଲାଇ ଦେଉଥିବା ନେଇ ବାହାବା ନେଉଛନ୍ତି ସରକାର । ଦରଦାମ ବୃଦ୍ଧି ସମୟରେ କେମିତି କର୍ମୀ ମାନେ ସମସ୍ତ ସାମଗ୍ରୀ ଯୋଗାଇ ଦେଇ ପାରିବେ ସେ ନେଇ କୌଣସି ତର୍ଜମା ନ କରି କେବଳ ବାହାବା ନେବାରେ ଲାଗିଥିବା କର୍ମୀ ଅଭିଯୋଗ ଆଣିଛି । ଅନେକ ସମୟରେ ସାମାଜିକ ଗଣମଧ୍ୟମରେ ମହିଳା, ଶିଶୁ ବିକାଶ ତଥା ମିଶନ ଶକ୍ତି ମାଧ୍ୟମରେ ଉନ୍ନୟନ କାର୍ଯ୍ୟର ପ୍ରଚାର ପ୍ରସାର କରୁଥିବା ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ବିଭାଗର ମନ୍ତ୍ରୀଙ୍କ ନିଜ ସହର ବା ନିଜ ବ୍ଲକ ଅଂଚଳରେ ଅନେକ ସମସ୍ୟାରେ ଗତି କରୁଥିବା ଅଙ୍ଗନୱାଡ଼ି କର୍ମୀ ସମସ୍ୟା ଉପରେ ଦୃଷ୍ଟି ନ ଦେବା ଦୁର୍ଭାଗ୍ୟର ବିଷୟ ବୋଲି ଅଙ୍ଗନୱାଡ଼ି କର୍ମୀ ଜିଲ୍ଲା ସଭାପତି ଉଦବେଗ ପ୍ରକାଶ କରିଛନ୍ତି । ଯାହାକୁ ନେଇ ଏବେ ଏବେ ଦୋ ଛକିରେ ଅଙ୍ଗନୱାଡ଼ି କର୍ମୀ ।

ଏମାନଙ୍କ ଅଭିଯୋଗ ଯେ, ସରକାର କାହିଁ କେତେ ବର୍ଷ ପୂର୍ବରୁ ଅଙ୍ଗେନୱାଡି କେନ୍ଦ୍ର ଗୁଡିକ ପାଇଁ ପ୍ରତି ପିଲା ପିଛା ୭ ଟଙ୍କା ୭୦ ପଇସା ଦେଉଛନ୍ତି । ଏଥିରେ ଅଣ୍ଡା ଠୁ ନେଇ ତେଲ, ଲୁଣ, ପନିପରିବା ଆଦି ରହିଛି । ହେଲେ ଏବେ ଦରଦାମ ଆକାଶ ଛୁଆଁ । ଅଣ୍ଡା ଗୋଟିକର ଦାମ ୭ ଟଙ୍କା ଆଉ ସତୁରି ପଇସାରେ କେମିତି ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦେବେ । ତାହାକୁ ନେଇ ଚିନ୍ତାରେ ଏବେ ଅଙ୍ଗେନୱାଡି କର୍ମୀ । ଏବେ ପ୍ରତି ପିଲା ପିଛା ୧୨ ଟଙ୍କାରୁ ଉର୍ଦ୍ଧ ଆବଶ୍ୟକ ହେଉଥିବା ବେଳେ ପୂର୍ବ ଦର ସାତ ଟଙ୍କା ସତୁରି ପଇସାରେ କେମିତି ଯୋଗାଇ ଦେବେ ସାମଗ୍ରୀ । ଏବେ ତେଲ ଦର ଦୁଇ ଶହ ଟଙ୍କା ଲିଟର ପିଛା, ଆଉ ପନିପରିବା ହାତ ମାରି ହେଉନି । ଏମିତି ସ୍ଥଳେ କେମିତି କେନ୍ଦ୍ର ଗୁଡିକ ଚଳାଇବେ ତାହାକୁ ନେଇ ଚିନ୍ତାରେ ଅଙ୍ଗେନୱାଡି କର୍ମୀ । ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଟୁକୁନି ସାହୁଙ୍କ ନିଜ ନିର୍ବାଚନ ମଣ୍ଡଳୀ ତଥା ନିଜ ବାସ ସ୍ଥାନ ଟିଟିଲାଗଡ଼ ସହର । ହେଲେ ଅଧିକରୁ ଅଧିକ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡିକରେ ଗୃହ ନାହିଁ ତ କିଏ ଭଡାରେ କେନ୍ଦ୍ର କରିଥିବା ବେଳେ ଭଡା ମଧ୍ୟ ଦିଆଯାଉ ନାହିଁ । ଏମିତିକି ଟିଟିଲାଗଡ଼ ସହରରେ ଅଙ୍ଗନୱାଡ଼ି କର୍ମୀ ମାନଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ କୌଣସି ବ୍ୟବସ୍ଥା ନାହିଁ କି ସଭା ଗୃହଟିଏ ମଧ୍ୟ ନାହିଁ । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଅଙ୍ଗନୱାଡ଼ି କର୍ମୀମାନେ । ଏନେଇ ଅନେକ ଥର ସରକାର ଏବଂ ସ୍ଥାନୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି କୌଣସି ସୁଫଳ ମିଳିନାହିଁ । ଫଳରେ ନିଜ ସମସ୍ୟାର ଆଲୋଚନା କରିବା ପାଇଁ କେତେବେଳେ ଡାକ ବଙ୍ଗଳା ତ ଆଉ କେତେବେଳେ କେଉଁ ଗଛ ମୂଳରେ ବସି ଆଲୋଚନା କରୁଥିବା ସଂଘ ଅଭିଯୋଗ କରିଛି । ଏବେ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡିକ ଉପରେ ଦରଦାମ ଆଉ ଏକ ମୁଖ୍ୟ ସମସ୍ୟା ପାଲଟିଛି । ଯାହାକୁ ନେଇ କେନ୍ଦ୍ରରେ ଥିବା ପିଲାମାନଙ୍କ ତଥା ଗର୍ଭବତୀ ମହିଳା ମାନଙ୍କ ପାଇଁ ବ୍ୟବସ୍ଥା କରିବା ନେଇ ସମସ୍ୟା ଦେଖା ଦେଇଛି । ଅତି ସ୍ୱଳ୍ପ ବେତନରେ କାମ କରୁଥିବା ଅଙ୍ଗେନୱାଡି କର୍ମୀ ଉପରେ ବୋଝ ଉପରେ ନଳିତା ବିଡା ସାଜିଛି । ଏମିତି ସ୍ଥଳରେ ପୁଷ୍ଟିକର ଖାଦ୍ୟ ତଥା ଛୁଆ ମାନଙ୍କୁ ସରକାରଙ୍କ ପ୍ରସ୍ତୁତ ନିୟମ ଉପରେ କେମିତି ଯୋଗାଇବେ କର୍ମୀ । ଏନେଇ ସରକାର ୭ଟଙ୍କା ୭୦ ପଇସାକୁ ବୃଦ୍ଧି କରିବା ପାଇଁ ନିବେଦନ କରିଛନ୍ତି ନଚେତ ହିତାଧିକାରୀ ମାନଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଯାହା ହେଉଛି ପଠାଇବାକୁ ଅନୁରୋଧ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଟିଟିଲାଗଡ଼ ଅଙ୍ଗନୱାଡ଼ି ବ୍ଲକ ସଭାପତି ଆରାଧନା ମିଶ୍ର, ଲୋପାମୁଦ୍ରା ନାୟକ, ସମ୍ପାଦକ ଲେହେମନି ବାଗ, ସବିତା ସୁନାନୀ, ପୁଷ୍ପା ମିସ୍ତ୍ରୀ, ଲତା ସେଠ, ସଂଜୁ ରଣା, ମିନାକ୍ଷୀ ତରିଆ, ମେନକା ମେହେର, ମନୋରମା ଦଣ୍ଡସେନା, ପିଙ୍କି ସୁନା ସମେତ ଶତିଧିକ କର୍ମୀ ସାମିଲ ଥିଲେ ।

Leave A Reply

Your email address will not be published.