ଅଭିଶପ୍ତ ଶୈଶବ : ସହାୟତା ମିଳିଲେ ହସିବ ଉର୍ମେଶୀ

ମ.ରାମପୁର, (ହେମନ୍ତ ସାହୁ) : ମାତ୍ର ନ ବର୍ଷର ଝିଅଟିଏ । ତୃତୀୟ ଶ୍ରେଣୀ ପରେ ପରେ ଚତୁର୍ଥରେ ନାମ ଲେଖାଇଥିଲା ଏବଂ ଲକଡ଼ାଉନ ପ୍ରଭାବରେ ବିଦ୍ୟାଳୟ ବନ୍ଦ ରହିବା କାରଣରୁ ଘରେ ରହି ପାଠପଢୁଥିଲା ଉର୍ମେଶୀ ମାଝୀ । ଆଜକୁ ଚାରିମାସ ତଳେ ଦିନେ ହଠାତ ତାର ଡ଼ାହାଣ ଗୋଡ଼ରେ କଷ୍ଟ ଅନୁଭବ କଲା । ରକା ପଶିଥିବ କହି ଘରେ ବାପା ମାଁ ମାଲିସ ଟିକେ କରିଦେଲେ । କିନ୍ତୁ ତାହା କମିବା ପରିବର୍ତ୍ତେ ଧିରେ ଧିରେ ବଢିବାକୁ ଲାଗିଲା । କଷ୍ଟ ବଢିବା ସହିତ ଫୁଲିବା ଆରମ୍ଭ ହେଲା । ଆଦିବାସୀ ସଂପ୍ରଦାୟର ଲୋକେ ହେଇଥିବାରୁ ଗୁଣି, ଗାରେଡ଼, ଝଡ଼ା ଓ ଫୁଙ୍କା ବି କଲେ । ପରେ ପରେ ଜିଲ୍ଲା ମୁଖ୍ୟଡାକ୍ତରଖାନାକୁ ବି ନିଆଗଲା । କିଛି ଦିନ ସେଠାରେ ରଖି ଚିକିତ୍ସା କରାଯାଇଥିଲେ ସୁଦ୍ଧା ସୁଫଳ ମିଳିପାରିଲାନି । କଳହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଉଲଦାନୀ ପଂଚାୟତର ବାଲିବାଜୁରେ ରହନ୍ତି ରବିନ୍ଦ୍ର ମାଝୀ ଓ ରଜନୀ ମାଝୀଙ୍କ ପରିବାର । ତିନୋଟି ଝିଅପୁଅକୁ ନେଇ ଏଇ ଗରୀବ ତଥା ଆଦିବାସୀ ପରିବାରଟି ହସଖୁସିରେ କାଳାତିପାତ କରୁଥିଲେ । କିନ୍ତୁ ବଡ଼ଝିଅ ଉର୍ମେଶୀଙ୍କ ଗୋଡ଼ରେ ଏହି ଅଜଣା ଫୁଲାରୋଗ ପରେ ଯାହା କିଛି ଅର୍ଥ ଥିଲା ତାକୁ ନେଇ ଜିଲ୍ଲା ମୁଖ୍ୟଡ଼ାକ୍ତରଖାନାରେ ଚିକିତ୍ସା କରାଇଲେ ଏବେ ପାଖରେ ଅର୍ଥ ନାହିଁ । ଯାହା ଯେମିତି ଚେରିମୁଳୀ କରୁଛନ୍ତି । ଝିଅଟି ଖଟିଆରେ ଶୋଇରହିଛି । ଉଠିବାର ସାମର୍ଥ୍ୟ ବି ନାହିଁ । ଉଠିବାକୁ ଚେଷ୍ଟା କଲା ବେଳେ ତାର ବିକଳ କାନ୍ଦ ଛାତି ଥରେଇଦେଇଥିଲା । ଯାହାକୁ ଦେଖିଲେ ଆଖିରେ ଲୁହ ଆସିଯିବ । ଭଲ ପଢୁଥିଲା ବି ଉର୍ମେଶୀ । ଭବାନୀପାଟଣାରେ ଥିବା ସିନାର୍ଜୀ ଇଣ୍ଟରନେସଲନାଲ ସ୍କୁଲରେ ସେ ଅଧ୍ୟୟନରତ । କିନ୍ତୁ କୋଭିଡ଼ କଟକଣା ପରେ ବିଦ୍ୟାଳୟ ବନ୍ଦ ଯୋଗୁଁ ଘରେ ରହିଛି । ଗତ ବର୍ଷ ତାର ରିପୋର୍ଟ କାର୍ଡ଼ରେ ୬୭ଶତକଡ଼ା ରଖିଥିବା ତାର ଧିଶକ୍ତିର ପରିଚୟ ଦେଉଛି । ଏବେ କିନ୍ତୁ ବେସାହାରା ବାପାମାଁ ଆଉ ସେଇ କୁନି ଝିଅ । ଯଦି କେହି ସହୃଦୟ ବ୍ୟକ୍ତି ଏହି ଶିଶୁର ଚିକିତ୍ସାପାଇଁ ସହାୟତାରେ ହାତ ବଢାନ୍ତି ତେବେ ଏହି ଅଭିଶପ୍ତ ଶୈଶବଯେ ପୁଣିଥରେ ହସିବ । ଏଣୁ ଗ୍ରାମବାସୀଙ୍କ ସମେତ ଶିଶୁର ବାପାମାଁ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି ।

Leave A Reply

Your email address will not be published.