ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆଜି ହରିଶଙ୍କର ତୀର୍ଥସ୍ଥଳୀ ଭକ୍ତଙ୍କ ସମୁଦ୍ରରେ ପରିଣତ ହୋଇଯାଇଛି । ରାତି ଦୁଇଟାରୁ ଉଠି ଶ୍ରଦ୍ଧାଳୁମାନେ ସ୍ନାନାଦି ଶେଷ କରି ଘର ଆଗରେ ଓ ଚଉରାମୂଳରେ ମୁରୁଜ ପକାଇ, ପୂଜାର୍ଚ୍ଚନା ସମ୍ପନ୍ନ କରି, ଭକ୍ତିଭାବରେ ଡଙ୍ଗା ଭସାଇ ମହାନ୍ ପରମ୍ମ୍ପରା ପାଳନ କରିଥିଲେ । ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ପବିତ୍ର ହରିଶଙ୍କର ତୀର୍ଥକ୍ଷେତ୍ରରେ ହଜାର ହଜାର ଭକ୍ତ ଆସି ‘ପାପନାଶିନୀ’ ଝରଣାରେ ପବିତ୍ର ସ୍ନାନ କରି ଭଗବାନଙ୍କ ଦର୍ଶନରେ ନିଜକୁ ପବିତ୍ର କରିଥିଲେ । ଡଙ୍ଗା ଭସାଇ ଭଗବାନଙ୍କ ପାଦପଦ୍ମରେ ପ୍ରାର୍ଥନା ଓ ଆଶୀର୍ବାଦ ଭିକ୍ଷା କରିଥିବା ଭକ୍ତମାନଙ୍କ ଦୃଶ୍ୟ ଅତ୍ୟନ୍ତ ମନୋହର ଥିଲା । କାର୍ତ୍ତିକ ମାସକୁ ହିନ୍ଦୁ ଧର୍ମରେ ଭଗବାନ ବିଷ୍ଣୁଙ୍କ ଅତିପ୍ରିୟ ମାସ ବୋଲି ମନାଯାଏ । ଏହି ମାସର ଶୁକ୍ଳପକ୍ଷ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନକୁ ମହାପଞ୍ଚକ ବା ପଞ୍ଚ ପର୍ବ ନାମରେ ପରିଚିତ କରାଯାଇଛି, ଯାହା ଧର୍ମଗତ ଦୃଷ୍ଟିରୁ ଅତ୍ୟନ୍ତ ପବିତ୍ର ଓ ଗୁରୁତ୍ଵପୂର୍ଣ୍ଣ । ଏହି ପାଞ୍ଚଦିନ ଧରି ହିନ୍ଦୁମାନେ ଆମିଷ ପରିହାର କରି ଶୁଦ୍ଧ ମନୋଭାବରେ ଭଗବାନଙ୍କ ପୂଜା କରନ୍ତି । କୁହାଯାଏ ଯେ ଏହି ପାଞ୍ଚଦିନ ଅବଧିରେ ବଗ ମଧ୍ୟ ଆମିଷ ସ୍ପର୍ଶ କରେ ନାହିଁ । ଏହି ସମୟରେ ଆବାଳ-ବୃଦ୍ଧ-ବନିତା ସମସ୍ତେ ପ୍ରତିଦିନ ପ୍ରାତଃକାଳରେ ସ୍ନାନ କରି ଦେବଦର୍ଶନ ଓ ଭଜନ କୀର୍ତ୍ତନରେ ମଗ୍ନ ହୋଇ ଉଠନ୍ତି । ଆଜି ହରିଶଙ୍କର ତୀର୍ଥସ୍ଥଳୀରେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବହୁ ମାତ୍ରାରେ ପୋଲିସ ମୁତୟନ କରାଯାଇଥିବା ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତର ସୂଚନା ଦେଇଛନ୍ତି । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ହରିଶଙ୍କରର ଶାନ୍ତ ପରିବେଶ ଭକ୍ତି, ଶ୍ରଦ୍ଧା ଓ ଧର୍ମିକ ଉତ୍ସାହରେ ଭରିଯାଇଥିଲା। ଡଙ୍ଗା ଭସାଇବା ସହ ଆକାଶ ଓ ଝରଣାରେ ଝଲସୁଥିବା ଦୀପମାଳାର ଦୃଶ୍ୟ ମନ୍ତ୍ରମୁଗ୍ଧ କରିଦେଇଥିଲା । ଏହି ଦିନ କେବଳ ଧର୍ମ ନୁହେଁ, ଏହା ଏକ ଆଧ୍ୟାତ୍ମିକ ଅନୁଭବ, ଯେଉଁଠି ଭକ୍ତି ଓ ଆସ୍ଥା ଏକ ସଙ୍ଗେ ମିଶି ସୃଷ୍ଟିହୁଏ ଶାନ୍ତି ଓ ସତ୍ତାର ପ୍ରତୀକ ।