- ବରଗଡ଼ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ : ନୂଆ ବସ୍ଷ୍ଟାଣ୍ଡରେ ବସ ରଖ, ଅନ୍ୟତ୍ର ପାର୍କିଂ କଲେ କାର୍ଯ୍ୟାନୁଷ୍ଠାନ
ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗତ ଦୁଇଦିନ ଧରି ବରଗଡ଼ ଘରୋଇ ବସ୍ ମାଲିକ ସଂଘ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ନୂଆଁ ବସ୍ଷ୍ଟାଣ୍ଡକୁ ବସ୍ ସ୍ଥାନାନ୍ତର କରିବା ବିବାଦରେ ନିରିହ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । ଗତ ୨୬ ତାରିଖରେ ଜିଲ୍ଲାପାଳଙ୍କ ଆଦେଶ କ୍ରମେ ପୌର ପରିଷଦ ପକ୍ଷରୁ ପୁରୁଣା ବସ୍ଷ୍ଟାଣ୍ଡକୁ ତାରବାଡ ଦେଇ ଘେରିବାକୁ କାର୍ଯ୍ୟ ଆରମ୍ଭ କରିଥିଲେ । ବସ୍ ଗୁଡିକ ନୂତନ ବସ୍ଷ୍ଟାଣ୍ଡରୁ ଚାଲିବ ବୋଲି କହିଥିଲେ । ତେବେ ବସ୍ ମାଲିକ ସଂଘ ପକ୍ଷରୁ ନୂତନ ବସ୍ଷ୍ଟାଣ୍ଡରେ ବିଭିନ୍ନ ଅସୁବିଧା ଦର୍ଶାଇ ୧୫ଦଫା ଦାବୀ ପୂରଣ ପାଇଁ ଗତକାଲିଠାରୁ ବସ୍ ଚଳାଚଳ ବନ୍ଦ କରିଦେଇଛନ୍ତି । ଫଳରେ ଯାତ୍ରୀମାନେ ବହୁ ହଇରାଣର ସମ୍ମୁଖୀନ ହେଉଛନ୍ତି । ଆଜି ପୁଣି ନୂତନ ବସ୍ଷ୍ଟାଣ୍ଡ ରାସ୍ତା ଅବରୋଧ ହଟାଇବାକୁ କଂସେଇ ଦୋକାନ ଗୁଡ଼ିକୁ କେନାଲ ରାସ୍ତାରୁ ହଟେଇ ଥିଲେ । ସେହିପରି ଆଜି ଜିଲ୍ଲାପାଳ ନୂତନ ନିର୍ଦ୍ଦେଶାନାମା ଜାରି ପରେ ବରଗଡ଼ ସହରରେ ଘରୋଇ ବସ୍ଷ୍ଟାଣ୍ଡ ବିବାଦ ତୀବ୍ର ହେବାରେ ଲାଗିଛି । ନିର୍ମାଣ କାର୍ଯ୍ୟରେ ତୃଟି ଅଭିଯୋଗ କରି ସ୍ଥାନୀୟ ଘରୋଇ ବସ୍ ମାଲିକ ସଂଘ ସେଠାରୁ ଯାତ୍ରୀବାହୀ ବସ୍ ଚଳାଚଳ ନ କରିବାକୁ ଅଡି ବସିଛନ୍ତି । ଅନ୍ୟ ପକ୍ଷରେ ଗତ ମଙ୍ଗଳବାରରୁ ପୁରୁଣା ବସ୍ଷ୍ଟାଣ୍ଡରେ ପ୍ରଶାସନ ବ୍ୟାରିକେଡ ଦେବା ଆରମ୍ଭ କରିଛି । ଏହାର ପ୍ରତିବାଦରେ ବସ୍ ମାଲିକ ସଂଘ ବୁଧବାରରୁ ବସ୍ ଧର୍ମଘଟ ଜାରି ରଖିଛି । ଏଭଳି ସ୍ଥଳେ ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜୀ ନୂଆ ବସ୍ଷ୍ଟାଣ୍ଡରେ ଯାତ୍ରୀବାହୀ ଗାଡି ପାର୍କିଂ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସ୍ଥାନ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଗାଡି ପାର୍କିଂ କଲେ ମୋଟରଯାନ ଆଇନ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ତାଙ୍କ ପତ୍ରସଂଖ୍ୟା– ୭୫(ଆରଇଏସ୍)ରେ ଏହା ଉଲ୍ଲେଖ କରିଛନ୍ତି । ସେହିପରି ବରଗଡ଼ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ବିଜ୍ଞପ୍ତି (ନଂ-୧୩୮୦)ରେ ପୁରୁଣା ଘରୋଇ ବସ୍ଷ୍ଟାଣ୍ଡରେ ଯାତ୍ରୀବାହୀ ଗାଡି ପାର୍କିଂ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।