om academy

ମାନବିକତା ହରାଇଲା ପଦ୍ମପୁର ପ୍ରଶାସନ : ୨୪ ଘଣ୍ଟା ଧରି ପଡିରହିଲା କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶବ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାରେ ବ୍ୟାପକ ମାତ୍ରାରେ ବଢିଚାଲିଛି ସଂକ୍ରମଣ । ଦିନକୁ ଦିନ ଅସମ୍ଭାଳ ହେବାକୁ ଲାଗିଲାଣି ପରିସ୍ଥିତି । ଅନ୍ୟପଟେ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା କହୁଥିବା ବେଳେ ପଦ୍ମପୁର ଉପଖଣ୍ଡ ଘନାମାଲ ଗ୍ରାମର ଘଟଣା ଜିଲ୍ଲା ପ୍ରଶାସନର ମୁଖା ଖୋଲି ଦେଇଛି । ଦ୍ଵିତୀୟ ଲହରୀର ଏହି ମହାମାରୀ ପ୍ରଥମ ଚରଣରୁ ହିଁ ସରକାରୀ କଳର ଅପାରଗତା ଏବଂ ଅମାନବିକତାର ପ୍ରକୃତ ଚିତ୍ର ସାମ୍‌ନାକୁ ଆସିଯାଇଛି । ୨୪ ଘଣ୍ଟା ଧରି କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶବ ଘରେ ପଡିରହି ଥିଲେ ମଧ୍ୟ ଘରେ କେବଳ ଦୁଇ ଜଣ ମହିଳା ରହିଥିବା ଅସହାୟ ପରିବାରକୁ ନା’ ପଦ୍ମପୁର ପ୍ରଶାସନ ସାହାଯ୍ୟର ହାତ ବଢାଇଛି ନା’ ଗ୍ରାମବାସୀ । ଘରେ ଥିବା ଦୁଇ ଅସହାୟ ମହିଳା କାନ୍ଦି କାନ୍ଦି ବେହୋସ୍‌ ହୋଇପଡିଥିଲେ ଏବଂ କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶବ ସହିତ ୨୪ ଘଣ୍ଟା ବିତାଇଥିଲେ ମଧ୍ୟ ପ୍ରଶାସନକୁ ଜଣାଇବା ସତ୍ବେ କେହି ଘଟଣା ସ୍ଥଳକୁ ଯିବାକୁ ଜରୁରୀ ମନେ କରିନଥିଲେ ଏବଂ ସେମିତି ପଡିରହିଥିଲା ଶବ । ଶେଷରେ ବରଗଡର ସଂକଳ୍ପ ପରିବାର ଏହି ଖବର ପାଇବା ପରେ ଡ଼‌ବ୍ଲୁଓୱାଇଏମ୍‌ ସଙ୍ଗଠନ ସହିତ ଘନାମାଲକୁ ପହଞ୍ଚି ଶବ ସତ୍କାର କରିଛନ୍ତି । ପଦ୍ମପୁର ଉପଖଣ୍ଡ ଘନାମାଲ ଗ୍ରାମର ଏକ ପରିବାରର ଏହି କରୁଣ ଦୃଶ୍ୟ ସାରା ଅଂଚଳରେ ଚହଳ ସୃ‌ଷ୍ଟି କରିଛି । ୬୭ ବର୍ଷର ସତ୍ୟାନନ୍ଦ ସାହୁଙ୍କର ପରିବାର ସଂପୂର୍ଣ୍ଣ ନାରଖାର ହୋଇଯାଇଛି । ସତ୍ୟାନନ୍ଦ, ତାଙ୍କ ସ୍ତ୍ରୀ, ଗୋଟେ ଝିଅ ଏବଂ ଗୋଟେ ପୁଅ ସହିତ ଖୁସିରେ ଥିଲେ । ସତ୍ୟାନନ୍ଦଙ୍କର ଜ୍ଵାଇଁଙ୍କର କେନ୍ସର ରୋଗରେ ୨୦୧୭ରେ ପ୍ରଥମେ ମୃତ୍ୟୁ ହୋଇଥିଲା । ତେବେ ସତ୍ୟାନନ୍ଦଙ୍କ ପୁଅ ଘରର ଏବଂ ଭଉଣୀର ବୋଝ ବୋହିଥିଲେ । ମାତ୍ର ଗତ ୮ ତାରିଖରେ ସତ୍ୟାନନ୍ଦଙ୍କ ପୁଅ କୋଭିଡରେ ବୁର୍ଲା ଠାରେ ମୃତ୍ୟୁବରଣ କରିଥିଲେ । ସତ୍ୟାନନ୍ଦ ମଧ୍ୟ ଆକ୍ରାନ୍ତ ହୋଇ ଘରେ ହୋମ୍‌ ଆଇସୋଲେସନରେ ଥିଲେ । ୩୬ ବର୍ଷର ପୁଅକୁ ହରାଇ ଘରେ ତାଙ୍କ ସ୍ତ୍ରୀ ଓ ଝିଅ ଦୁଃଖରେ ଭାଙ୍ଗିପଡିଥିଲେ । ଘରର ଦାୟିତ୍ଵ ଏବେ ବୃଦ୍ଧ ସତ୍ୟାନନ୍ଦଙ୍କ ଉପରେ ଥିଲା, ମାତ୍ର ସେ ମଧ୍ୟ ପୁଅ ମୃତ୍ୟୁର ୧୦ ଦିନ ପରେ କରୋନାରେ ଆଖି ବୁଜି ଦେଇଛନ୍ତି । ୨୦ ତାରିଖ ରାତିରେ ଘରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ୨୧ ତାରିଖ ସକାଳୁ ସ୍ଥାନୀୟ ଲୋକେ ପଦ୍ମପୁର ପ୍ରଶାସନକୁ ଜଣାଇ ଥିଲେ ମଧ୍ୟ ଏହି ପରିବାରର କଥା କେହି ଶୁଣିନଥିଲେ । ଘରେ ସତ୍ୟାନନ୍ଦଙ୍କ ଶବ ସେମିତି ପଡି ରହିଥିଲା ଦିନ ତମାମ୍‌ । ଘରେ ଥିବା ଉଭୟ ମା’ ଝିଅ ମଧ୍ୟ ସଂକ୍ରମିତ ଥିବା ବେଳେ ଚିକିତ୍ସା ଠାରୁ ବହୁ ଦୂରରେ । ଜଣଙ୍କର ନିଶ୍ୱାସ ନେବାରେ କଷ୍ଟକର ହେଉଥିବା ବେଳେ ଅନ୍ୟ ଜଣେ ମହିଳା ଘରର ଦୁଇ ମୁରବୀଙ୍କୁ ହରାଇ କାନ୍ଦି କାନ୍ଦି ବେହୋସ ହୋଇ ପଡୁଥାନ୍ତି । ହେଲେ ନା’ ଗ୍ରାମବାସୀ ପାଖ ମାଡିଥିଲେ, ନା’ ସରପଞ୍ଚ ଓ ସ୍ଥାନୀୟ ପ୍ରଶାସନ । ଏହି ଘଟଣାର ଖବର ପାଇ ବରଗଡର ସଂକଲ୍ପ ପରିବାର ଏବଂ ଡ଼‌ବ୍ଲୁଓୱାଇଏମ‌ର ସଦସ୍ୟ ବରଗଡ଼ରୁ ଘନାମାଲକୁ ପହଞ୍ଚିଲେ ଏବଂ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଶବବାହକ ଗାଡ଼ି ପାଇଁ ଫୋନ କରିଥିଲେ, ଉପଜିଲ୍ଲାପାଳ ନିଜେ ହୋମ କୋରାଣ୍ଟାଇନରେ ଅଛି ବିଡିଓଙ୍କୁ କୁହନ୍ତୁ ବୋଲି କହି ବିଡିଓଙ୍କର ନମ୍ବର ଦେଇଦେଲେ, ବିଡିଓ ସ୍ଥାନୀୟ ଜିପିଓଙ୍କ ନମ୍ବର ଦେଲେ ଏବଂ ଜିପିଓ ସରପଞ୍ଚଙ୍କୁ ଦାୟିତ୍ୱ ଦେଇ ସମସ୍ତେ ନିଜ ନିଜର ଦାୟିତ୍ଵ ଶେଷ କରିଦେଲେ । ପଦ୍ମପୁରର ସରକାରୀ କଳ ମଣିଷତ୍ଵ ହରାଇ ନିଜର କର୍ତ୍ତବ୍ୟରୁ ଓହରିଗଲା ଏବଂ ନାଁ କୌଣସି ତତ୍ପରତା ଦେଖାଇଲା ନାଁ ଶବ ସତ୍କାର ପାଇଁ ଶବ ବାହକ ଗାଡି ଯୋଗେଇଲା । ସମାଜସେବୀ ସଙ୍ଗଠନ ଶବ ଦାହ ପାଇଁ ଆଗକୁ ଆସିଥିଲେ ମଧ୍ୟ କୋଭିଡ ଶବ ବାହକ ଗାଡି ପ୍ରଦାନ କରାନଯିବାରୁ ଶବ ଦାହରେ ସାଜିଲା ବାଧକ । ପଦ୍ମପୁରର ନିକମ୍ମା ପ୍ରଶାସନିକ ଅଧିକାରୀ ମାନଙ୍କ ଅସହଯୋଗ ପରେ ଶେଷରେ ବରଗଡ଼ ସିଡିଏମ୍‌ଓଙ୍କୁ ଫୋନ କରିବାରୁ ସେ ବରଗଡରୁ ଶବବାହକ ଗାଡ଼ି ପଠାଇଥିଲେ ଏବଂ ରାତି ୨ ଟାରେ ଶବ ଦାହ କରାଯାଇଥିଲା । ସେହିପରି ବରଗଡ ବିଧାୟକ ଦେବେଶ ଆଚାର୍ୟ୍ୟ ମଧ୍ୟ ନିଜେ ଏହି ଘଟଣାରେ ହସ୍ତକ୍ଷେପ କରିବା ପରେ ପଦ୍ମପୁରରୁ ଏମ୍ବୁଲେନ୍ସ ଘନାମାଳକୁ ଆସି ଉଭୟ ମହିଳାଙ୍କୁ ବରଗଡ କୋଭିଡ ହସ୍ପିଟାଲକୁ ନେଇ ଭର୍ତ୍ତି କରଯାଇଥିଲା । ଏହା ହେଉଛି ବରଗଡ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ କୋଭିଡ ମହାମାରୀ ସହିତ ମୁକାବିଲା ପାଇଁ କରାଯାଇଥିବା ପ୍ରସ୍ତୁତିର ନଗ୍ନ ନମୁନା । ଜିଲ୍ଲା ପ୍ରଶାସନ ଯଦି ସେବା ମନୋଭାବରେ ନିଜର କାର୍ୟ୍ୟ ନକରୁଛି ତାହାହେଲେ ଆଗକୁ ବରଗଡ ଜିଲ୍ଲାରେ ଅସମ୍ଭାଳ ହୋଇଯିବ ପରିସ୍ଥିତି ।

Leave A Reply

Your email address will not be published.