ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହର ନିକଟସ୍ଥ ବୁଢୀସିଣ୍ଢୋଲ ଗାଁର ମାଧବୀ ଗାଇଗରିଆ ଓ ପଟୁଆପାଲି ଗାଁର ଧିରୋଜଙ୍କ ବିବାହ ଅନୁଷ୍ଠିତ ହେବାର ଥିଲା । ଏନେଇ ସବୁ ପ୍ରସ୍ତୁତି ସରିଥିଲା । ବଂଧୁ ବାନ୍ଧବ, ଜ୍ଞାତି ପରିଜନ ସମସ୍ତେ ରୁଣ୍ଡ ହୋଇ ସାରିଥିଲେ । ପୂର୍ବାହ୍ନରେ ପିନ୍ଧାଣୀ କାର୍ଯ୍ୟକ୍ରମ ରହିଥିବା ବେଳେ ମଧ୍ୟାହ୍ନରେ ହାତଗଣ୍ଠି ପଡିବାର ଥିଲା । କିନ୍ତୁ ବିବାହର କିଛି ସମୟ ପୂର୍ବରୁ ନିଜ ପ୍ରେମିକ ସହ ଫେରାର ହୋଇଯାଇଥିଲେ ମଙ୍ଗୁଳା କନ୍ୟା । ଝିଅ ନିଖୋଜ ନେଇ ପୁଇଁତଲା ଥାନାରେ ଅଭିଯୋଗ କରିଥିଲେ ମାଧବୀଙ୍କ ପରିବାର ଲୋକେ । ତେବେ ପ୍ରେମୀ ଯୁଗଳ ମାଧବୀ ଓ ହେମନ୍ତ ଥାନାରେ ହାଜର ହୋଇଛନ୍ତି । ଉଭୟ ଉଭୟଙ୍କୁ ଦୀର୍ଘ ୪ବର୍ଷ ହେବ ଭଲ ପାଉଛନ୍ତି ବୋଲି ସେମାନେ ଥାନାରେ ଖୋଲାଖୋଲି ଭାବେ ପ୍ରକାଶ କରିଛନ୍ତି । ପ୍ରେମିକା ମାଧବୀ କହିଛନ୍ତି ଯେ, ମୋ’ ଭଲ ପାଇବା ବିଷୟରେ ଆମ ପରିବାର ଲୋକେ ଜାଣିଥିଲେ । କିନ୍ତୁ ମତେ ଜୋର୍ ଜବର୍ଦସ୍ତ ଅନ୍ୟତ୍ର ବାହା କରାଇବାକୁ ଚାପ ପକାଇଥିଲେ । ମୁଁ ବାଧ୍ୟ ହୋଇ ଏଭଳି ପଦକ୍ଷେପ ନେଇଛି । ମୁଁ ନିଜେ ମୋ’ ପ୍ରେମିକଙ୍କ ଘରକୁ ସେଦିନ ଚାଲି ଆସିଥିଲି । ମୋ’ ବାପା ମା’ଙ୍କ ସମ୍ମାନକୁ ଆଖି ଆଗରେ ରଖି ଚୁପ୍ ରହି ଆସୁଥିଲେ ବି ଶେଷ ସମୟରେ ମୋ’ ପାଖରେ ଆଉ କିଛି ଅପ୍ସନ୍ ନଥିଲା । ବାଧ୍ୟ ହୋଇ ମୋ’ ପ୍ରେମିକ ହେମନ୍ତ ମହାକୁଡଙ୍କୁ ପାଇବା ପାଇଁ ତାଙ୍କ ଘରକୁ ଚାଲି ଆସିଥିଲି । ଏଣୁ ଏଣିକି ମୋ’ ପ୍ରେମିକଙ୍କ ସହ ହିିଁ ମୁଁ ଜୀବନ ବିତାଇବି ବୋଲି ସେ ଖୋଲାଖୋଲି ମିଡ଼ିଆ ସାମ୍ନାରେ ମତ ରଖିଛନ୍ତି ।
Next Post