jayashree

ଚଳିତ ଖରିଫ ଧାନ କ୍ରୟକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଚଳିତ ଖରିଫ ଧାନ କ୍ରୟ ୨୦୨୨-୨୩କୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ତତ୍ପରତା ପ୍ରକାଶ ପାଇଛି । ସୋସାଇଟିସ୍ତରୀୟ ଧାନ କ୍ରୟ କମିଟି ଗୁଡିକୁ କ୍ରିୟାଶୀଳ ତଥା ସୁବ୍ୟବସ୍ଥିତ କରିବା ପାଇଁ ପ୍ରତ୍ୟେକ ବ୍ଲକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଆବୋଲି ସୁନୀଲ ନରୱଣେ ପରାମର୍ଶ ଦେଇଛନ୍ତି । ଗତ ତା.୦୭/୧୧/୨୦୨୨ରେ ଏ ସମ୍ପର୍କିତ ଏକ ବୈଠକରେ ଜିଲ୍ଲାପାଳ ପ୍ରତ୍ୟେକ ସୋସାଇଟିସ୍ତରୀୟ ଧାନ କ୍ରୟ କମିଟି ସଭ୍ୟ / ସଭ୍ୟାମାନଙ୍କୁ ଧାନର ମାନ, ସହାୟକ ମୂଲ୍ୟ ଓ କମିଟିର ଦାୟିତ୍ୱ ଏବଂ କର୍ତ୍ତବ୍ୟ ସମ୍ବନ୍ଧରେ ସଚେତନ କରିବାକୁ ପ୍ରତ୍ୟେକ ବ୍ଲକସ୍ତରୀୟ ଓ ଉପଖଣ୍ଡସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଖରିଫ ଧାନ କ୍ରୟ ୨୦୨୨-୨୩ ଆରମ୍ଭ ହେବା ପୂର୍ବରୁ ଆସନ୍ତା ୩୦/୧୧/୨୨ ସୁଦ୍ଧା ସମସ୍ତ ରାଇସ ମିଲ୍‌ ଚାଉଳ ଦେୟ ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ମିଲ୍‌ ଗୁଡିକୁ ପରିଦର୍ଶନ କରିବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସଂପ୍ରତି ସୋସାଇଟିସ୍ତରୀୟ ଧାନ କ୍ରୟ କମିଟି ଗୁଡିକର ବୈଠକ ଆହୁତ ହୋଇ ସଭ୍ୟ / ସଭ୍ୟାମାନଙ୍କୁ ଏହାର ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ବନ୍ଧରେ ସଚେତନ କରାଯାଇଛି । ଏହି କ୍ରମରେ ଜିଲ୍ଲାପାଳ ନିଜେ ହିଲୁଙ୍ଗ ଓ ଉଫୁଲା ସୋସାଇଟି ପରିଦର୍ଶନ କରି ଏ ବିଷୟରେ ଆଲୋଚନା କରିଥିଲେ । ଖରିଫ ଧାନ କ୍ରୟ ୨୦୨୨-୨୩ ବର୍ଷରେ ଭାଗ ନେବା ପାଇଁ ପ୍ରତ୍ୟେକ ମିଲ୍‌ର ୩୦/୧୧/୨୨ ତାରିଖ ସୁଦ୍ଧା ପୂର୍ବ ବର୍ଷର ସମସ୍ତ ଚାଉଳ ପ୍ରଦାନ କରିବା ବିଧେୟ ଅଟେ । ଏଣୁ ଏ ସମ୍ବନ୍ଧରେ ତତ୍ପର ହେବା ପାଇଁ ଜିଲ୍ଲାପାଳ ସମସ୍ତ ସରକାରୀ ଅଧିକାରୀ, ମିଲ୍‌ର ଓ ଉଚ୍ଚସ୍ତରୀୟ ଜିଲ୍ଲା ଅଧିକାରୀମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.