jayashree

ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର : ବିଦ୍ୟାଳୟକୁ ଘେରିଲେ ଅଭିଭାବକ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲାଠୋର ନୋଡାଲ ପ୍ରକଳ୍ପ ବିଦ୍ୟାଳୟରେ ଶିକ୍ଷକଙ୍କ ମାଡ଼ରେ ଛାତ୍ର ଗୁରୁତର ହେବା ଘଟଣାକୁ ନେଇ ଶୁକ୍ରବାର ଦିନ ଅଭିଭାବକମାନେ ବିଦ୍ୟାଳୟକୁ ଘେରି ଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ ଗତ ମଙ୍ଗଳବାର ଦିନ ସପ୍ତମ ଶ୍ରେଣୀର ଚାରି ଜଣ ଛାତ୍ର ଏକାଠି ମିଶି ଶ୍ରେଣୀ ଗୃହ ଭିତରେ ନିଜ ନିଜ ଭିତରେ କେଉଁ କଥାକୁ ନେଇ ହସାହସି କରୁଥିବା ବେଳେ ଶିକ୍ଷକ କୋଦଣ୍ଡ ନାଏକ ଚାରି ଜଣ ଛାତ୍ରଙ୍କୁ ମାଡ ମାରିଥିଲେ ଓ ଭୟ ଦେଖାଇ ଥିଲେ କେହି ଯଦି ମାଡ କଥା ଘରେ କହିଲେ ସ୍କୁଲରୁ ବାହାର କରିଦେବି ବୋଲି ଧମକ ଦେଇଥିଲେ । ତହିଁ ମଧ୍ୟରୁ ଗୋଟିଏ ଛାତ୍ର ଶିକ୍ଷକଙ୍କ ମାଡ଼ରେ ଗୁରୁତର ହୋଇ ଥିବା ସତ୍ୱେ ମଧ୍ୟ ଘରେ ପ୍ରକାଶ କରି ନଥିଲା । ଗୁରୁବାର ଦିନ କୌଣସି କାରଣରୁ ଗୁରୁତର ଛାତ୍ରଙ୍କ ବାପା ବଜାରକୁ ଆସି ଥିବା ବେଳେ ଛାତ୍ରର ଏକ ସହପାଠୀ ତୁମ ପୁଅ କେମିତି ଅଛି ବୋଲି ପଚାରିଥିଲେ । ତାଙ୍କ ବାପା କଣ ହୋଇଛି ମୋ ପୁଅକୁ ବୋଲି ପଚାରିବାରୁ ମଙ୍ଗଳବାର ଦିନ ଶ୍ରେଣୀ ଗୃହରେ ଶିକ୍ଷକ ତୁମ ପୁଅକୁ ବହୁତ ମାଡ ମାରିଥିଲେ ବୋଲି କହିଥିଲେ । ତାପରେ ସେ ଘରକୁ ଯାଇ ପୁଅକୁ ପଚରା ଉଚୁରା କରି ସତ୍ୟାସତ୍ୟ ଜାଣିବାକୁ ପାଇଥିଲେ । ଛାତ୍ରଙ୍କ ପିଠିରେ ମାଡ଼ର ଚିହ୍ନ ରହି ଥିବା ଦେଖିବାକୁ ପାଇଥିଲେ । ଡାକ୍ତର ପାଖକୁ ନେଇ ଚିକିତ୍ସିତ କରାଇ ନିଜର ସ୍କୁଲ ପରିଚାଳନା କମିଟିର ସଭାପତି ଓ ଅଭିଭାବକମାନଙ୍କୁ ଏହି ଘଟଣା ବିଷୟରେ ଜଣାଇଥିଲେ । ଘଟଣା ପ୍ରଚାର ହେବା ପରେ ବହୁ ସଂଖ୍ୟାରେ ଲୋକ ବିଦ୍ୟାଳୟକୁ ଆସି ଘେରି ଯାଇଥିଲେ । ଉତ୍ୟକ୍ତ ଲୋକଙ୍କ ଭିଡ ଦେଖି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଶାଖା ନାଏକ ଏକ ସାଧାରଣ ବୈଠକ କରି ଘଟଣା କ୍ରମକୁ ସମାଧାନ କରିବା ପାଇଁ ମତ ଲୋଡ଼ି ଥିଲେ । ବୈଠକରେ ଅଭିଭାବକ, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ଏସଏମସି ସଭାପତି ଲାଠୋର କ୍ଲଷ୍ଟର ସିଆରସିସି ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ଶିକ୍ଷକ ମଧ୍ୟ ନିଜର ଭୁଲ ସ୍ୱୀକାର କରି ସମସ୍ତଙ୍କର ସମ୍ମୁଖରେ ଭୁଲ ମାଗିଥିଲେ । ହେଲେ ଅଭିଭାବକମାନେ ଗୋଟିଏ ସର୍ତ୍ତ ରଖିଥିଲେ ଯେତେ ଶୀଘ୍ର ହେବ ଏହି ଶିକ୍ଷକକୁ ବିଦ୍ୟାଳୟରୁ ବଦଳି କରିବା ପାଇଁ ଦାବୀ କରିଥିଲେ । ଯଦି ଶିକ୍ଷକ ବଦଳି ନ ହେଲେ ଆଗାମୀ ଦିନରେ ଗମ୍ଭୀର ପରିସ୍ଥିତି ହୋଇପାରେ ବୋଲି ଚେତାବନୀ ଦିଆଯାଇଛି । ପ୍ରଧାନ ଶିକ୍ଷୟତ୍ରୀ ତାଙ୍କ କଥାରେ ସହମତି ପ୍ରକାଶ କରି ବଦଳି ପାଇଁ ବିଇଓଙ୍କୁ ଜଣାଇବି ବୋଲି ପ୍ରତିଶ୍ରୁତି ଦେଇଥିଲେ । ସ୍କୁଲ ପରିସର ଦଣ୍ଡମୁକ୍ତ ଅଞ୍ଚଳ ସରକାର ଘୋଷଣା କରିଥିବା ବେଳେ ଛାତ୍ରଙ୍କୁ ମାଡ ଘଟଣା ଅଭିଭାବକ ମହଲରେ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି ।

Leave A Reply

Your email address will not be published.