ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଡହ ରାସ୍ତାର ଚିଦାନନ୍ଦ ଆଶ୍ରମ ନିକଟରେ ଆଜି ସକାଳ ୯ ଟା ୩୦ ମିନିଟ ସମୟରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଯାଇଛି । ଏଥିରେ ବୁଗୁଡା ଥାନା କନଷ୍ଟେବଲଙ୍କ ସମେତ ୨ ଜଣ ଆହତ ହୋଇଛନ୍ତି । ସେମାନେ ହେଲେ ଖମାରେଡିର ଧ୍ରୁବ ସାଇଁ ଏବଂ ବଡକୋଦଣ୍ଡାର ପପୁ ଗୌଡ଼ । ଆହତ ଦ୍ୱୟଙ୍କୁ ସଂପୃକ୍ତ ଅଞ୍ଚଳବାସୀ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଆହତମାନଙ୍କ ଅବସ୍ଥା ଗୁରୁତର ଥିବା ଯୋଗୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲ ନେବାପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ଏହାପରେ ସେମାନଙ୍କୁ ବ୍ରହ୍ମପୁର ନିଆଯାଇଛି । ଘଟଣାରୁ ପ୍ରକାଶ ଯେ, ଧ୍ରୁବ ବୁଗୁଡ଼ା ଥାନାରେ କନଷ୍ଟେବଲ ଚାକିରି କରନ୍ତି । ତେଣୁ ସେ ଆଜି ସକାଳେ ବୁଗୁଡ଼ା ଥାନା ଅଭିମୁଖେ ନିଜ ବାଇକରେ ବାହାରିଥିଲେ । ଏହି ସମୟରେ ବିପରୀତ ଦିଗରୁ ବଡକୋଦଣ୍ଡାର ପପୁ ଡହ ଆଡ଼େ ଯାଉଥିଲେ । ବାଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଉଭୟ ଗୁରୁତର ଭାବେ ଆହତ ହୋଇଛନ୍ତି ।
