
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଗୁନାଖାଲ ଛକରେ ମର୍ମନ୍ତୁଦ ଦୁର୍ଘଟଣା । ସ୍କୁଟିକୁ ପଛପଟୁ ଧକ୍କା ଦେଲା ଟ୍ରେଲର । ଗାଡ଼ି ତଳେ ଚାପିହୋଇ ମହିଳା କନେଷ୍ଟବଳଙ୍କ ମୃତ୍ୟୁ । ମୃତକ ଜଣଙ୍କ ହେଲେ ଖେଦାପଡ଼ା ଗ୍ରାମର ଲାବଣ୍ୟ ଗାଣ୍ଟା (୨୪ ବର୍ଷ) । ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଛନ୍ତି । ସେମାନେ ହେଲେ ବିଷମକଟକ ବ୍ଲକ ବେଥିଆପଡ଼ା ପଞ୍ଚାୟତ ମୁନିଗାଁର କାନ୍ତାରାଓ କାଡ୍ରାକା(୪୦ ବର୍ଷ) ଓ ସୁବାରାଓ କାଡ୍ରାକା (୪୦ ବର୍ଷ) । ସୂଚନାନୁଯାୟୀ, ଲାବଣ୍ୟ ଶନିବାର ସକାଳୁ ଘରୁ ବାହାରି ରାୟଗଡ଼ା ଶ୍ରଦ୍ଧା ଶ୍ରୀକ୍ଷେତ୍ର ବାହୁଡା ଯାତ୍ରା ଡ୍ୟୁଟି କରିବାକୁ ଆସୁଥିଲେ । ଗୁନାଖାଲ ଛକରେ ବିପରୀତ ଦିଗରୁ ଅନ୍ୟ ଏକ ବାଇକ୍ ଆସୁଥିବାରୁ ହମ୍ପସ୍ ଠାରେ ଲାବଣ୍ୟ ବ୍ରେକ୍ ମାରିଥିଲେ । ଏହି ସମୟରେ ଏକ ଟ୍ରେଲର ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା । ଲାବଣ୍ୟ ସ୍କୁଟିରୁ ପଡିଯିବାରୁ ତାଙ୍କ ଉପରେ ଟ୍ରକ୍ ଚଢିଯାଇଥିଲା । ଫଳରେ ଘଟଣାସ୍ଥଳରେ ଲାବଣ୍ୟଙ୍କ ମୃତ୍ୟୁ ହୋଇଥିଲା । ବାଇକରେ ଆସୁଥିବା ଦୁଇ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରେଲରକୁ ଜବତ କରିଛି । ଲାବଣ୍ୟଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।