jayashree

ଆମ୍ବ ଟାକୁଆର କୋଇଲି ଜାଉ ଖାଇ ୨ ମୃତ : ୬ ଗୁରୁତର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଆମ୍ବ ଟାକୁଆରେ ପ୍ରସ୍ତୁତ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ଘଟିଛି । କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ପଞ୍ଚାୟତର ମାଣ୍ଡିପଙ୍କା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଏଥିରେ ଅନ୍ୟ ୬ ଜଣ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିବା ସୂଚନା ମିଳିଛି । ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମାଣ୍ଡିପଙ୍କା ଦଡ଼ାସାହିର ରୁନୁ ମାଝୀ(୩୦) ଏବଂ ରୁମିତା ପାଟମାଝୀ (୨୮) । ରୁନୁ ଜଣେ ଦିବ୍ୟାଙ୍ଗ ଯୁବତୀ ହୋଇଥିବା ବେଳେ ଏଭଳି ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଅସୁସ୍ଥଙ୍କ ମଧ୍ୟରେ ପ୍ରଭାତୀ ପାଟମାଝୀ (୩୨), ଡ୍ରାଙ୍ଗାଲୁ ପାଟମାଝୀ (୫୫), ଟୁନି ମାଝୀ (୪୫), ସୁଷମା ପାଟମାଝୀ (୨୮), ଜିତା ମାଝୀ (୩୦), ଜେବନ୍ତ ମାଝୀ (୩୦) ଗୁରୁତର ରହିଥିବା ବେଳେ ସେମାନଙ୍କୁ ପ୍ରଥମେ ବ୍ରାହ୍ମଣୀ ଗାଁ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଅଧିକ ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଛି । ଖବର ପାଇ ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ ଏବଂ ତହସିଲଦାର ଶରତ ଶବର ମାଣ୍ଡିପଙ୍କା ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । କେଉଁ ପରିସ୍ଥିତିରେ ମାଣ୍ଡିପଙ୍କାର ଏହି ମହିଳା ମାନେ ଆମ୍ବ ଟାକୁଆ ଖାଇଲେ ସେ ନେଇ ତଦନ୍ତ ଆରମ୍ଭ ହୋଇଥିବା ବିଷୟ ବିଡିଓ ଶ୍ରୀ ରଥ କହିଛନ୍ତି । ପ୍ରକାଶ ଯେ, ଗତ ୨୯ ତାରିଖରେ ୬ଟି ପରିବାରର ୮ ଜଣ ଆମ୍ବ ଟାକୁଆକୁ ଜାଉ କରି ଖାଦ୍ୟ ଭାବେ ଖାଇଥିଲେ ଏବଂ ତା’ ପରଦିନ ମଧ୍ୟ ଉକ୍ତବାସୀ ଆମ୍ବ ଟାକୁଆକୁ ପୂନର୍ବାର ଖାଇଥିଲେ । ଫଳରେ ଖାଦ୍ୟ ଖାଇବା ପରେ ସେମାନଙ୍କୁ ପ୍ରଥମେ ବାନ୍ତି ହୋଇଥିଲା । ସମସ୍ତ ଗୁରୁତରଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପ୍ରଥମେ ଗୁରୁତର ରମିତାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ଗୁରୁତରଙ୍କୁ ବ୍ରହ୍ମପୁର ନେବା ସମୟରେ ରୁନୁଙ୍କ ବାଟରେ ମୃତ୍ୟୁ ହୋଇଥିଲା ବୋଲି ପରିବାର ପକ୍ଷରୁ କୁହାଯାଇଛି । ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳରେ ବାରମ୍ବାର ଏପରି ଘଟଣା ଘଟୁଥିବା ସାମ୍ନାକୁ ଆସିଛି । ଦାରିଦ୍ର୍ୟ ଏବଂ ସଚେତନତା ଅଭାବରୁ ଲୋକମାନେ ଆମ୍ବ ଟାକୁଆକୁ ଜାଉ କରି ଖାଇବାକୁ ବାଧ୍ୟ ହେଉଛନ୍ତି । ଯାହାଫଳରେ ଏପରି ଘଟଣା ଘଟୁଛି ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.