ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଭାନପୁର ପଞ୍ଚାୟତ ଅନ୍ତର୍ଗତ ଝାଙ୍କରପାଲି ଗ୍ରାମରେ ବୁଧବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଯାହାକି ମାଁ ଏବଂ ପୁଅର ସମ୍ପର୍କରେ ଲାଗିଛି ରକ୍ତର ଛିଟା । ସୂଚନା ଅନୁଯାୟୀ ଝାଙ୍କରପାଲି ଗ୍ରାମର ଖେତ୍ର ବରିହା(୩୩) ବୁଧବାର ରାତିରେ ମଦ ପିଇ ଘରକୁ ଆସି ବାପା କୈଫୁଲ ବରିହାଙ୍କ ସଙ୍ଗେ କୌଣସି ବିଷୟକୁ ନେଇ ବଚସା ଆରମ୍ଭ କରିଥିଲା । ବଚସା ଏତେ ବଢିଯାଇଥିଲା ଯେ, ପୁଅ ବାପାକୁ ମାଡ ମାରିବା ସମୟରେ ବୁଢୀ ମାଁ ଜୟ କୁମାରୀ ବରିହା(୬୨) ଦୁଇ ଜଣଙ୍କୁ ଛଡ଼ାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଜାଣି ନଥିଲେ ଦୁହିଁଙ୍କୁ ଛଡ଼ାଇବାରେ ନିଜର ଜୀବନ ଚାଲିଯିବ । ପୁଅ ଖେତ୍ର ମାଁ ଜୟ କୁମାରୀଙ୍କୁ ଏତେ ଜୋର୍ରେ ଧକ୍କା ଦେଇଥିଲା ଯେ, ସେ କଚାଡି ହୋଇ ପଡ଼ିଥିଲେ । ଏସବୁ ଦେଖି କେହି ଜଣେ ଆମ୍ବୁଲାନ୍ସକୁ ଫୋନ୍ କରି ଡାକିଥିଲେ । ଗୁରୁତର ଅବସ୍ଥାରେ ମାଁ ଏବଂ ବାପାଙ୍କୁ ପ୍ରଥମେ ପାଟଣାଗଡ଼ ଓ ପରେ ବଲାଙ୍ଗିରକୁ ସ୍ଥାନାନ୍ତର କରାଯାଇଥିଲା । ବଲାଙ୍ଗିରରେ ମାଁଙ୍କ ସ୍ୱାସ୍ଥ୍ୟ ଆହୁରି ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା କିନ୍ତୁ ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ମାଁଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା କୈଫୁଲ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି । ଘଟଣା ବିଷୟରେ ଖବର ପାଇ ଖପ୍ରାଖୋଲ ପୋଲିସ ବୁର୍ଲାକୁ ଯାଇ ଶବକୁ ଜବତ କରିଥିବାବେଳେ ଘଟଣାର ତଦନ୍ତ ଚିଲିଥିବା ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ର ପ୍ରକାଶ କରିଛନ୍ତି । ଏନେଇ ଖପ୍ରାଖୋଲ ଥାନା କେସ ନଂ ୧୭୪/୨୦୨୪ରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି । ଏଭଳି ଏକ ଅଭାବନୀୟ ଘଟଣାକୁ ନେଇ ଝାଙ୍କରପାଲି ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ପୁଅର ମାଡ଼ରେ ବାପା କୈଫୁଲ ବରିହା ଅତ୍ୟଧିକ ଗୁରୁତର ହୋଇ ସଙ୍କଟାପର୍ଣ୍ଣ ଅବସ୍ଥାରେ ମୃତ୍ୟୁ ସହ ସଗ୍ରାମ କରୁଥିବା ସୂଚନା ମିଳିଛି ।