ନୂଆଁମୁଣ୍ଡାରେ ଅଭାବନୀୟ ଘଟଣା : ଘର ଭୁଶୁଡି ଗୋଟିଏ ପରିବାରର ୩ ଗୁରୁତର

  • ସରକାରୀ ସାହାଯ୍ୟ ଯୋଗାଇଦେବା ପାଇଁ ଦାବୀ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଟିକ୍ରାପଡା ଫାଣ୍ଡି ଜୁରାବନ୍ଦ ପଞ୍ଚାୟତ ସ୍ଥିତ ନୂଆଁମୁଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ଗତ ଶନିବାର ଦିନ ଲଗାଣ ବର୍ଷାରେ ଘର ଭୁଶୁଡି ପଡି ଗୋଟିଏ ପରିବାରର ୩ ଜଣ ଗୁରୁତର ହୋଇଥିବା ବେଳେ ୨ ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଗୁରୁତରମାନେ ହେଲେ ମଥା ବରିହା(୪୨), ଅଲେଖ ବରିହା (୨୨) ଓ ଅମ୍ବିକା ବରିହା(୨୩) ଉଭୟଙ୍କୁ ଗାଁ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ବଲାଙ୍ଗିର ବଡ଼ ଡାକ୍ତରଖାନାକୁ ପଠାଯାଇଥିବା ଜଣାପଡିଛି । ପ୍ରକାଶ ଯେ, ନୂଆଁମୁଣ୍ଡା ଗାଁର ମଥା ବରିହା ପରିବାରର ଭାଇ ଅଲେଖ, ଝିଅ ଅମ୍ବିକା, ନମିତା (୧୩) ଓ ଅନିଶା (୬) ଉଭୟ ଖାଇପିଇ ସାରି ଘରେ ଶୋଇ ପଡ଼ିଥିବା ସମୟରେ ଗତ ଶନିବାର ଠାରୁ ଲଗାଣ ବର୍ଷା ହେବା ଦ୍ୱାରା ହଠାତ୍‌ ରାତି ୧୦ଟା ସମୟରେ ଘର ଭୁଶୁଡି ପଡିଥିଲା । ଏଥିରେ ପରିବାର ଲୋକେ ଚିତ୍କାର କରିବା ପରେ ଗାଁର ଦଇତାରି ବରିହା, ଗଦାଧର, ଗିରିଧାରୀ, ଅଧିକାରୀ, ମମତା, ବନିତା, ପ୍ରକାଶ ଓ ଭିକାରୀ ବରିହା ପ୍ରମୁଖ ଘଟଣାସ୍ଥଳକୁ ଯାଇ ଉଭୟ ପରିବାର ଲୋକଙ୍କୁ ଉଦ୍ଧାର କରିଥିଲେ । ଏଥିରେ ଅମ୍ବିକାଙ୍କର ଛାତିରେ ଜୋର୍‌ ଆଘାତ ଲାଗିଥିବା ବେଳେ ମଥା ଓ ଅଲେଖର ମଧ୍ୟ ଆଘାତ ଲାଗି ଚିକିତ୍ସା ହେଉଥିବା ଜଣାପଡିଛି । ଘଟଣାର ୨୪ଘଣ୍ଟା ବିତିଯାଇଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅଧିକାରୀ କିମ୍ବା କର୍ମଚାରୀ ଘଟଣାସ୍ଥଳକୁ ଆସିନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଉକ୍ତ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ଛାଟିମାଟିରେ ଘର ନିର୍ମାଣ କରି ବସବାସ କରି ରହୁଥିଲେ । ତେଣୁ ଏହି ପରିବାରଙ୍କୁ ସରକାରୀ ସାହାଯ୍ୟ ଯୋଗାଇଦେବା ପାଇଁ ଆଇନଜୀବୀ ମୁକେଶ ଠାକୁର ଦାବୀ କରିଛନ୍ତି ।

Leave A Reply

Your email address will not be published.