ଦୁଇ ଜୀବନ ନେଲା ବଜ୍ରଘାତ : ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତ ଅନ୍ତର୍ଗତ ଚାଉଳବାଞ୍ଜି ଗ୍ରାମର ଦୁଇ ମାଁପୁଅଙ୍କ ଜୀବନ ନେଇଛି ବଜ୍ରପାତ ଏବଂ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ ବୁଧବାର ଅପରାହ୍ନ ସମୟରେ ଚୂଡ଼ାମଣି ଖରସେଲ ତାଙ୍କ ସ୍ତ୍ରୀ ସୂର୍ଯ୍ୟକାନ୍ତି ଖରସେଲ(୪୦), ବଡ ପୁଅ ଦୀପକ ଖରସେଲ(୧୮) ଏବଂ ଭାଇ ପୁରନ୍ଦର ଖରସେଲ ନିଜ ବିଲରେ କପା ଚାଷ ପାଇଁ ଜମିକୁ ଉର୍ବର କରୁଥିବା ସମୟରେ ଘଡଘଡି ସହ ବର୍ଷା ହୋଇଥିଲା । ବର୍ଷା ହେବାରୁ ମାଁ, ପୁଅ ଏବଂ ଦିଅର ଜମିରେ ଥିବା ଶାହାଜ ଗଛ ତଳେ ଆଶ୍ରୟ ନେଇଥିଲେ । ସେମାନେ ଜାଣି ନଥିଲେ ଗଛ ତଳେ ମୃତ୍ୟୁ ଅପେକ୍ଷାରେ ଅଛି । ଏତେ ଜୋରରେ ବଜ୍ରାଘାତ ହୋଇଥିଲା ଯେ, ସୂର୍ଯ୍ୟକାନ୍ତି ଏବଂ ପୁଅ ଦୀପକ ଘଟଣାସ୍ଥଳରେ ବଜ୍ରାଘାତର ଶିକାର ହୋଇ ଟଳି ପଡ଼ିଥିଲେ । ଗଛତଳେ ଥିବା ପୁରନ୍ଦର ଖରସେଲ ମଧ୍ୟ ବାଦ ପଡିନଥିଲେ ତାଙ୍କୁ ଗୁରୁତର ଅବସ୍ଥାରେ ଖପ୍ରାଖୋଲ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି । ଗାଁ ଲୋକଙ୍କ ଠାରୁ ଖବର ପାଇ ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ର, ଏଏସ୍‌ଆଇ ନାରାୟଣ ସାହୁ, ପୋଲିସ ଦଳ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ଖପ୍ରାଖୋଲ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ମାଁପୁଅଙ୍କୁ ମୃତ ଘୋଷଣା କରିଥିଲେ । ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ଡାକ୍ତରଖାନାରେ ପହଞ୍ଚି ଗୁରୁତର ହୋଇଥିବା ପୁରନ୍ଦର ଖରସେଲଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଥିଲେ । ଏନେଇ ତହସିଲଦାରଙ୍କୁ ପଚାରିବାରୁ ମାଁପୁଅ ଦୁଇଜଣଙ୍କ ବଜ୍ରାଘାତ କାରଣରୁ ଜୀବନ ଯାଇଛି ତାହେଲେ ସରକାରଙ୍କ ତରଫରୁ ୪ ଲକ୍ଷ ଟଙ୍କା ଲେଖାଏଁ ଉଭୟ ମାଁ ଏବଂ ପୁଅଙ୍କ ପରିବାରକୁ ସହାୟତା ରାଶି ମିଳିବ ବୋଲି ପ୍ରକାଶ କରିଥିଲେ । ଏନେଇ ଖପ୍ରାଖୋଲ ଥାନା ୟୁ ଡି କେସ ନଂ ୭/୨୦୨୪ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଘଟଣାର ଅଧିକ ତଦନ୍ତ କରୁଥିବା ଖପ୍ରାଖୋଲ ଥାନାଧିକାରୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.