ଗୋଇମୁଣ୍ଡ ଛକ ପିଚୁ ପ୍ଲାଣ୍ଟ ସମ୍ମୁଖରେ ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ : ଜଣେ ଗୁରୁତର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ୫୯ ନମ୍ବର ଜାତୀୟ ରାଜପଥ ବଙ୍ଗୋମୁଣ୍ଡାରୁ ହଳଦୀ ରାସ୍ତାର ଗୋଇମୁଣ୍ଡ ଛକ ନିକଟ ସ୍ଥିତ ପିଚୁ ପ୍ଲାଣ୍ଟ ସମ୍ମୁଖରେ ମଙ୍ଗଳବାର ଅପରାହ୍ନରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ନୂଆପଡ଼ା ଜିଲ୍ଲା କୋମନା ଥାନା ତରବୋଡ ଗ୍ରାମର ସ୍ୱର୍ଗତ ଧନେଶ୍ଵର ଦୀପଙ୍କ ପୁଅ ଗୋପୀ ଦୀପ(୪୮) ଓ ଖରିଆର ରୋଡ୍‌ ଜୋଙ୍କ ଥାନା ଡୁମେରଡିହି ଗ୍ରାମର ରବି ଯାଦବ ନାମକ ଦୁଇ ଜଣ ଏକ ବାଇକ୍‌ ଯୋଗେ ଟିଟିଲାଗଡ ଯାଉଥିବା ବେଳେ ଘଟଣାସ୍ଥଳରେ ଅଜଣା ଗାଡ଼ି ଉଭୟଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଅତ୍ୟନ୍ତ ଗୁରୁତର ଗୋପୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ରବି ଆହତ ହୋଇଥିଲେ । ମୁରିବାହାଲ ପୁଲିସ ପହଞ୍ଚି ଆହତ ରବିଙ୍କୁ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ ହସ୍ପିଟାଲ୍‌ ପଠାଇଥିବା ବେଳେ ମୃତ ଗୋପୀଙ୍କ ମୃତଦେହକୁ ମଧ୍ୟ ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ ପଠାଇଥିଲା । ଦୁର୍ଘଟଣା ସ୍ଥଳଟି ପିଚୁ ପ୍ଲାଣ୍ଟ ସମ୍ମୁଖରେ ହୋଇଥିବାରୁ ଏହି ପ୍ଳାଣ୍ଟର ହିଁ କୌଣସି ଗାଡ଼ି ଧକ୍କାରେ ବାଇକ୍ ଦୁର୍ଘଟଣା ଘଟି ଅକାରଣରେ ଜଣଙ୍କ ଜୀବନ ଚାଲିଯାଇଥିବା ସନ୍ଦେହ ପ୍ରକାଶ ପାଇଛି । ମୁରିବାହାଲ ଥାନା ପୁଲିସ ପକ୍ଷରୁ ଏକ ମାମଲା ରୁଜ୍ଜୁ ସହ ବିଭିନ୍ନ ଦିଗରୁ ଅଧିକ ତଦନ୍ତ ଜାରି ରହିଥିବା ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.