ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ କନ୍ଦାମୁଣ୍ଡା ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜମି ବିବାଦକୁ ନେଇ ଦୁଇ ଭାଇଙ୍କୁ ସେହି ଗ୍ରାମର ମହେନ୍ଦ୍ର ବାଗ ଟାଙ୍ଗିଆରେ ହାଣି ଥିବା ଜଣାପଡିଛି । ସେମାନେ ହେଲେ ବଡଭାଇ ଦେବ ବନ୍ଦିଚୋର ଓ ଯୁଧିଷ୍ଟିର ବନ୍ଦିଚୋର । ଏନେଇ ଯୁଧିଷ୍ଟିର ସିନାପାଲି ଥାନାରେ ଅଭିଯୋଗ କରିଛନ୍ତି । ସିନାପାଲି ପୋଲିସ ତତ୍ପରତା ଦେଖାଇ ଅଭିଯୁକ୍ତ ମହେନ୍ଦ୍ର ବାଗଙ୍କୁ ଗିରଫ କରିଛି ।ସୂଚନାଯୋଗ୍ୟ ଯେ, ଆଜକୁ ପ୍ରାୟ ଏକ ବର୍ଷ ତଳେ ଉକ୍ତ ଗ୍ରାମର ଏକ ସରକାରୀ ଜମିରେ ଅଭିଯୁକ୍ତ ଜଣକ ଘର ନିର୍ମାଣ କାମ ଆରମ୍ଭ କରିଥିବା ବେଳେ ଗ୍ରାମବାସୀ ସିନାପାଲି ତହସିଲ କାର୍ଯ୍ୟାଳୟରେ ସାମୁହିକ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିତ୍ତି କରି ଆରଆଇ ତଦନ୍ତ ପାଇଁ ସେହି ଗ୍ରାମକୁ ପହଞ୍ଚିଥିଲେ ଓ ଘର ନିର୍ମାଣ କାମକୁ ବନ୍ଦ କରାଯାଇଥିଲା । ପୁଣି ଚଳିତ ବର୍ଷ ଅଭିଯୁକ୍ତ ଜଣକ ସେହି ସ୍ଥାନରେ ହିଁ ଘର ନିର୍ମାଣ କାମ ଆରମ୍ଭ କରିଥିଲେ । ଗତ ବର୍ଷ ଦେଇଥିବା ଅଭିଯୋଗ ପତ୍ରକୁ ଧରି ସିନାପାଲି ତହସିଲଦାରଙ୍କୁ ଗ୍ରାମବାସୀ ଅଭିଯୋଗ କଲେ । ଏନେଇ ଭାରପ୍ରାପ୍ତ ଆରଆଇ ଉମେଶ ମେହେର ଗତ ଗୁରୁବାର ଦିନ ତଦନ୍ତ କରି ଜମି ମାପିଥିଲେ । ହେଲେ ଜମି ମାପିବା ସମୟରେ ଅଭିଯୁକ୍ତ ଜଣକ ଝଗଡା କରିଥିଲେ । ସେଠାରୁ ଆର୍ଆଇ ଫେରି ଆସିଥିଲେ । ସେହି ସମୟରେ ଅଭିଯୁକ୍ତ ଜଣକ ଉକ୍ତ ଗ୍ରାମର ଦେବ ବନ୍ଦିଚୋର ଓ ଯୁଧିଷ୍ଟିର ବନ୍ଦିଚୋରଙ୍କ ସହ ଝଗଡା କରିବା ସହ ଏକ ଟାଙ୍ଗିଆରେ ଦୁଇ ଭାଇଙ୍କୁ ହାଣିଥିଲେ । ସେଠାରୁ ଦୁଇ ଭାଇ ସିନାପାଲି ଥାନାରେ ପହଞ୍ଚିଥିଲେ । ତା’ପରେ ଦୁଇ ଭାଇଙ୍କୁ ପ୍ରଥମେ ଚିକିତ୍ସା ପାଇଁ ସିନାପାଲି ଡାକ୍ତରଖାନାକୁ ଅଣାଯାଇଥିଲା । ପରେ ଯୁଧିଷ୍ଟିର ଥାନାରେ ଅଭିଯୋଗ କଲା ପରେ ପୋଲିସ କେସ ନଂ ୧୭୮/୨୩ରେ ଦଫା ୩୪୧/୨୯୪/୩୨୪/୩୦୭/୫୦୬ଆଇପିସି ଧାରା ଅନୁସାରେ କେସ ରୁଜୁ ହୋଇଥିଲା । ପରେ ସିନାପାଲି ଥାନା ଅଧିକାରୀ ରଶ୍ମିତା ପ୍ରଧାନଙ୍କ ନିର୍ଦେଶ ଅନୁସାରେ ତଦନ୍ତ ଅଧିକାରୀ ହରେକୃଷ୍ଣ ଜାନି ଅଭିଯୁକ୍ତଙ୍କୁ ଗିରଫ କରି କୋଟ ଚାଲାଣ କରିଥିଲେ ।