
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଙ୍ଗୋମୁଣ୍ଡା ଠାରେ କୁକୁଡା ଚୋରିକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ହାତାହାତି ହେବା ସହ ଏସିଡ୍ ଫିଙ୍ଗାଫୁଙ୍ଗି ହୋଇ ୪ ଜଣ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ଠାରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ପ୍ରକାଶଯୋଗ୍ୟ ଯେ, ଜଗବନ୍ଧୁ ସାହୁ ଓ ତୁଳସୀ ସାହୁ ସଂପର୍କୀୟ ହୋଇଥିବା ସ୍ଥଳେ ବଙ୍ଗୋମୁଣ୍ଡା ସାହୁପଡାରେ ପଡୋଶୀ ଭାବେ ବସବାସ କରନ୍ତି । ଦୀର୍ଘ ଦିନରୁ ସେମାନଙ୍କ ମଧ୍ୟରେ ସରକାରୀ ଜମିକୁ ନେଇ ଝମେଲା ଜାରି ରହିଥିବା ବେଳେ ଗତ ରବିବାର ଦିନ କୁକୁଡା ଚୋରିକୁ କେନ୍ଦ୍ର କରି ଉଭୟ ପରିବାର ମଧ୍ୟରେ ପୁଣି ଉତ୍ତେଜନା ବଢିଥିଲା । ତୁଳସୀ ସାହୁ ଓ ପରିବାର ବାରମ୍ବାର ଅପଶବ୍ଦ ପ୍ରୟୋଗ କରି ଜଗବନ୍ଧୁ ପରିବାର ଲୋକଙ୍କୁ ଲଢିବା ପାଇଁ ଆହ୍ୱାନ କରୁଥିଲେ । ସେ ସମୟରେ ଜଗବନ୍ଧୁଙ୍କ କୁନି ପୁତ୍ର ସେପଟୁ ଆସୁଥିବା ବେଳେ ତୁଳସୀ ସାହୁଙ୍କ ପରିବାର ତାକୁ ମଧ୍ୟ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ଏତିକି ବେଳେ ସହି ନପାରି ଜଗବନ୍ଧୁଙ୍କ ସାନ ଭାଇ ସୁବାସ ସାହୁ ସେମାନଙ୍କ ପାଖକୁ ଯାଇ ବାକ୍ ବିତଣ୍ଟା କରିଥିଲେ । ଠିକ୍ ସେହି ସମୟରେ ସେପଟୁ ତାଙ୍କ ମୁହଁ ଉପରକୁ ଏସିଡ଼୍ ଫିଙ୍ଗା ଯାଇଥିଲା । ଏସିଡ୍ ଆଘାତରେ ସୁବାସ ତଳେ ପଡ଼ିଯିବାରୁ ଅନ୍ୟ ପଟୁ ତାଙ୍କ ମୁଣ୍ଡକୁ ଇଟା ପଥରରେ ଆକ୍ରମଣ କରାଯାଇଥିଲା । ସୁବାସଙ୍କ ଆଖିରେ ଏସିଡ୍ ମାଡ ଓ ମୁଣ୍ଡରେ ପଥର ମାଡ଼ ଯୋଗୁଁ ସେ ଗୁରୁତର ହୋଇ ପଡିଥିଲେ । ଏହା ଦେଖି ଜଗବନ୍ଧୁ ମଧ୍ୟ ଉତ୍ୟକ୍ତ ହୋଇ ସେମାନଙ୍କ ସହିତ ମୁକାବିଲା କରିବା ପାଇଁ ଆଗକୁ ବଢିଲେ, ତାଙ୍କୁ ମଧ୍ୟ ଏସିଡ୍ ମାଡ଼ କରି ମୁଣ୍ଡ ଉପରେ ଇଟା ପଥର ମାଡ଼ ହୋଇଥିଲା । ଫଳରେ ତାଙ୍କ ଶରୀରର କିଛି ଅଙ୍ଗ ଏସିଡ୍ରେ ପୋଡି ଯାଇଥିବା ବେଳେ ମୁଣ୍ଡରେ ଗଭୀର କ୍ଷତ ହୋଇଥିଲା । ଏହା ପରେ ପରେ ତୁଳସୀ ସାହୁ, ପୁତ୍ର ନେପାଲ ସାହୁ, ସ୍ତ୍ରୀ ଅହଲ୍ୟା ସାହୁ ଓ ବୋହୁ ସ୍ୱପ୍ନା ସାହୁ ଏକଜୁଟ ହୋଇ ଜଗବନ୍ଧୁଙ୍କ ମାତା ସଞ୍ଜୁ ସାହୁ ଓ ଶଳା ଖଗ ସାହୁଙ୍କ ଉପରେ ବିଭିନ୍ନ ହତିଆରରେ ଜୋରଦାର ଆକ୍ରମଣ କରିଥିଲେ । ଗ୍ରାମବାସୀ ଗୁରୁତରଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନା ଓ ପରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ଆଣି ଭର୍ତ୍ତି କରିଛନ୍ତି । ସେମାନଙ୍କ ମଧ୍ୟରୁ ଜଗବନ୍ଧୁ, ମା’ ସଞ୍ଜୁ ଓ ଭାଇ ସୁବାସଙ୍କ ଅବସ୍ଥା ଗୁରୁତର ରହିଛି । ତେବେ ସଧାରଣ କୁକୁଡା ଚୋରିକୁ ନେଇ ଏତେ ବଡ଼ ଘଟଣା ଘଟିିଥିବା ବିଷୟକୁ କେହି ଗ୍ରହଣ କରି ପାରୁନଥିବା ବେଳେ ଉଭୟ ପରିବାର ମଧ୍ୟରେ ଜମିଜମା ମାମଲା ହିଁ ଘଟଣାର ମୁଖ୍ୟ କାରଣ ବୋଲି ଉପସ୍ଥିତ ପରିବାର ବର୍ଗ କହିଛନ୍ତି ।