ରାୟଗଡା, (ଅକ୍ଷୟ କୁମାର ପିଡିସିକା) : ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଭାଟଗୁଡା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଯାଇଛି । ଘଟଣାରେ ଜଣକର ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ହୋଇ ସ୍ଥାନୀୟ ଖ୍ରୀଷ୍ଟିଆନ ହସ୍ପିଟାଲରେ ଚିକିତ୍ସିତ ହଉଛନ୍ତି । ସୁଚନା ଅନୁସାରେ ଭାଟଗୁଡା ଗ୍ରାମରେ ମେଗା ପାନୀୟ ଜଳ ପ୍ରକଳ୍ପର ପାଣି ଟ୍ୟାଙ୍କ ନିର୍ମାଣ କାର୍ଯ୍ୟ ଚାଲୁ ଥିବାବେଳେ ଲାଞ୍ଜିଗଡ ଅଞ୍ଚଳର ଶ୍ରମିକମାନେ ଆସି ସେହିଠାରେ ରହି ନିର୍ମାଣ କାର୍ଯ୍ୟ କରୁଥିଲେ । ଖବରରୁ ଜଣାପଡିଛି ଯେ, ଗତକାଲି ବିଳମ୍ବିତ ରାତି ପ୍ରାୟ ୧୧ଟା ବେଳେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ବଚସା ବଢିବା ପରେ କୁନାଲ ଲୋହରାଙ୍କ ଟାଙ୍ଗିଆ ଚୋଟରେ ଦିଲ୍ଲୀପ ଲୋହରାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଲଳିତ ମାଝି ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି । ଖବର ପାଇ ଭାଟଗୁଡା ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରୁ ଶବକୁ ଉଦ୍ଧାର କରି ମେଡିକାଲକୁ ପଠାଇବା ସହ ହତ୍ୟାକାରୀକୁ ଉଠାଇ ଆଣି ଥାନାରେ ଅଟକ ରଖିଛି । ଘଟଣା ସ୍ଥଳରେ ବିଷମ କଟକ ଆଇଆଇସି ସୂର୍ଯ୍ୟଚନ୍ଦ୍ର ପାଢୀ ପହଂଚି ତଦନ୍ତ ଜାରି ରଖିଛନ୍ତି ।