
ଭୁବନେଶ୍ୱର, (କେ. ସତ୍ୟନାରାୟଣ ରେଡ୍ଡୀ) : ଶନିବାର ପୂର୍ବାହ୍ନରେ ଶ୍ରୀ ଗୋବର୍ଦ୍ଧନ ମଠ ପୁରୀ ପୀଠାଧିଶ୍ୱର ଶ୍ରୀମଦଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଜୀ ମହାରାଜଙ୍କ ସାନିଧ୍ୟରେ ଗୁରୁପୂର୍ଣ୍ଣିମା ମହୋତ୍ସବ ପାଳନ କରାଯାଇଛି । ସକାଳ ୮ଘଣ୍ଟା ସମୟରେ ପୂଜ୍ୟ ଶଙ୍କରାଚାର୍ଯ୍ୟଙ୍କ ନିଜ ସଚିବ ସ୍ୱାମୀ ନିର୍ବିକଳ୍ପାନନ୍ଦ ସରସ୍ଵତୀ ଜୀ ଅର୍ଦ୍ଧ-ନାରୀଶ୍ୱର ଭଗବାନଙ୍କ ଅଭିଷେକ ପରେ ଭଗବାନ ନାରାୟଣଙ୍କ ପାଦୁକା ପୂଜନ ଏବଂ ପୀଠ ପୁରୋହିତ ବିଶ୍ୱମ୍ବର ଦାସ, ଆଦିତ୍ୟ ମିଶ୍ର, ଗୋବିନ୍ଦ ମିଶ୍ର, ଭଗବାନ ମହାପାତ୍ର, ଦିବାକର ମହାପାତ୍ର ପ୍ରମୁଖ ପାରମ୍ପରୀକ ଗୁରୁପୂଜନ କରିଥିଲେ । ତତ୍ପଶ୍ଚାତ୍ ଦିନ ୧୦ ଟା ରେ ପୀଠର ଅନ୍ତେଃବାସୀ, ଭକ୍ତବୃନ୍ଦ ପୂଜ୍ୟ ଶଙ୍କରାଚାର୍ଯ୍ର ଭଗବାନଙ୍କ ଦର୍ଶନ ଓ ପାଦୁକା ପୂଜାର୍ଚ୍ଚନା କରାଯାଇଥିଲା । ପବିତ୍ର ଗୁରୁ ପୂର୍ଣ୍ଣିମା ମହୋତ୍ସବରେ ପ୍ରତ୍ୟେକ ବର୍ଷ ଦେଶ ବିଦେଶରୁ ୫୦୦୦ ଭକ୍ତଙ୍କ ସମାଗମ ହୋଇ ଆସୁଥିଲେ । କିନ୍ତୁ ଚଳିତ କରୋନା ମହାମାରୀର ପ୍ରକୋପରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ସଂଚାଳିତ ମର୍ଯ୍ୟାଦାକୁ ସମ୍ମାନ ପୂର୍ବକ ପ୍ରତ୍ୟେକ ବ୍ୟକ୍ତି ପାଳନ କରି ବ୍ୟକ୍ତି ମାତ୍ରକେ କଲ୍ୟାଣର ଆଶିର୍ବାଦରେ ସମସ୍ତ ଭକ୍ତ ବୃନ୍ଦକୁ ନିଜ ନିଜ ସ୍ଥାନରେ ସାଙ୍କେତିକ ପୂଜା କରିବା ପାଇଁ ଅନୁରୋଧ କରାଯାଇଥିଲା । ଏକ ନିରାଡାମ୍ବର ପରିବେଶରେ ସାମାଜିକ ଦୂରତା ସହ ମାସ୍କ ପରିଧାନ କରି ମଠର ଅନ୍ତେଃବାସୀ ଓ ବୈଦିକ କର୍ମକାଣ୍ଡୀଙ୍କ ଦ୍ଵାରା ଏହି ମହୋତ୍ସବ ପାଳନ କରାଯାଇଛି । କିଛି ଭକ୍ତଙ୍କୁ ପୂଜ୍ୟ ଶଙ୍କରାଚାର୍ଯ୍ୟ ମହାରାଜ ଦୀକ୍ଷା ପ୍ରଦାନ କରିଥିଲେ । ପୃଥକ ଭାବେ ଅପରାହ୍ନ ୪:୩୦ ମିନିଟରୁ ସଂଧ୍ୟା ୬:୦୦ ଟା ପର୍ଯ୍ୟନ୍ତ ପୀଠ ପରିଷଦ ଅନ୍ତର୍ଗତ ଆଦିତ୍ୟବାହିନୀ, ଆନନ୍ଦବାହିନୀ, ହିନ୍ଦୁରାଷ୍ଟ୍ରସଂଘ, ସନାତନ- ସନ୍ଥ ସମିତି ଏବଂ ରାମରାଜ୍ୟ ପରିଷଦର କର୍ମକର୍ତ୍ତା ମାନଙ୍କୁ ପୂଜ୍ୟ ଗୁରୁଦେବ ଦର୍ଶନ ଓ ଆଶିର୍ବଚନ ପ୍ରଦାନ କରିଥିଲେ । ଅପରାହ୍ନରେ ଗଜପତି ମହାରାଜା ପୂଜ୍ୟ ଗୁରୁ ଦେବଙ୍କ ଦର୍ଶନ ପୂଜନ କରି ଆଶିର୍ବାଦ ପ୍ରାପ୍ତ କରିଥିଲେ । ଏହି ଉତ୍ସବ ଉପରାନ୍ତ ଆସନ୍ତା ଆଷାଢ଼ କୃଷ୍ଣ ତୃତୀୟା (ଜୁଲାଇ ୨୭ ଠାରୁ଼ ସେପ୍ଟେମ୍ବର ୨୦) ଠାରୁ ଭାଦ୍ରପଦ ଶୁକ୍ଳ ପୂର୍ଣ୍ଣିମା ପର୍ଯ୍ୟନ୍ତ ପୂଜ୍ୟ ଶଙ୍କରାଚାର୍ଯ୍ୟ ମହାରାଜ ଚତୁର୍ମାସ୍ୟା ବ୍ରତ ପାଳନ କରିବେ । ଏହି ବ୍ରତ ପାଳନ ସମୟରେ ଦଣ୍ଡିସ୍ୱାମୀ ସନ୍ୟାସୀ, ବ୍ରହ୍ମଚାରୀ, ବିଦ୍ୱାନ ମାନଙ୍କୁ ପୂଜ୍ୟ ଶଙ୍କରାଚାର୍ଯ୍ୟ ଭଗବାନ୍ ସାଙ୍ଖ୍ୟ, ଉପନିଷଦ, ଭାଗବତ ଆଦି ପଢାଇବେ । ପ୍ରତ୍ୟହ ଅପରାହ୍ନ ୪ ଟାରେ ପ୍ରବଚନ କାର୍ଯ୍ୟକ୍ରମ ହେବ । ଏହି ଗୁରୁ ପୂର୍ଣ୍ଣିମା ମହୋତ୍ସବକୁ ହୃଷିକେଶ ବ୍ରହ୍ମଚାରୀ, ପ୍ରଫୃଲ୍ଲ ବ୍ରହ୍ମଚାରୀ, ଗୋବିନ୍ଦ ମହାନ୍ତି, ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ, ଗଣେଶ୍ୱର ମହାସୁଆର, ବ୍ରହ୍ମଚାରୀ ସୁୟସ ପ୍ରଶାନ୍ତ, ଆଦିତ୍ୟ କୁମାର ସିଂ, ଅମୀୟ ମହାପାତ୍ର, ଦେବାଶିଷ ମିଶ୍ର, ସୁଧାଂଶୁ ଶେଖର ମହାନ୍ତି, ଜଗଦୀଶ ଆଚାର୍ଯ୍ୟ, ଅଜୟ ଗୋଛିକାର, ମାଗୁଣ ସାହୁ ଆଦି ପରିଚାଳନା କରିଥିଲେ ।