ଲୋଇସିଂହା, (ବିମଳେନ୍ଦୁ ସାହୁ) : ପବିତ୍ର ଗୁରୁଦିବସ ଅବସରରେ ‘ଓଡ଼ିଶା ମୋ ପରିବାର” ଲୋଇସିଂହା ଶାଖା ତରଫରୁ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଆୟୋଜକ ତଥା ବିଜେଡି ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରାଙ୍କ ତତ୍ୱାବଧାନରେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୋଇସିଂହା, ଆଗଲପୁର ଓ ପୁଇଁତଲା ବ୍ଲକରୁ ଶହେରୁ ଅଧିକ ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅବସରପ୍ରାପ୍ତ ଶିକ୍ଷକ ରାଜେନ୍ଦ୍ର ବିଶ୍ୱାଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଗୁରୁଶ୍ରୀ ଘାସିରାମ ମିଶ୍ର ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବିଭୁତି ଭୂଷଣ ସାହାଣୀ ଏବଂ ସମ୍ମାନିତ ଅତିଥି ଭାବେ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ଅନୁସୂଚିତ ଜନଜାତି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବ୍ରଜମୋହନ ବିଶୋଇ, ଜିଲ୍ଲା ପରିଷଦ ସଭ୍ୟା ଲିଲିମା ବେହେରା, ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ସଭାପତି ଶ୍ୟାମସୁନ୍ଦର ଭୋଇ, ରାମଚନ୍ଦ୍ର ପଟେଲ ପ୍ରମୁଖ ମଞ୍ଚାସିନ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ଅଭ୍ୟାଗତଙ୍କ ଦ୍ୱାରା ମା’ ସରସ୍ବତୀ ଓ ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ର ଉପରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପରେ ନିହାର ରଂଜନ ବେହେରା ତଥା ତାଙ୍କ ସହଯୋଗୀମାନେ ଉପସ୍ଥିତ ସମସ୍ତ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଫୁଲ, ଚନ୍ଦନ, ଚାଉଳ ଦେଇ ଗୁରୁପୂଜନ କରିବା ସହିତ ଉତ୍ତରୀୟ ଓ କଲମ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସାମ୍ପ୍ରତିକ ପରିସ୍ଥିତିରେ ଗୁରୁମାନଙ୍କ ଭୂମିକା ଓ ରାଧାକ୍ରିଷ୍ଣାନଙ୍କ ଜୀବନୀ ଉପରେ ଅତିଥିଗଣ ଆଲୋକପାତ କରିଥିଲେ । ଏହି ଅବସରରେ କିଛିଦିନ ପୂର୍ବରୁ ଅବସର ନେଇଥିବା ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରକୃତି ବଂଧୁ ଶିକ୍ଷକ ଦିଗାମ୍ବର ନାଏକଙ୍କୁ ସ୍ୱତନ୍ତ୍ର ଭାବରେ ସମ୍ମାନିତ କରାଯାଇଥିଲା । ପରିଶେଷରେ ପିତାମ୍ବର ପୁଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।
Next Post