ସଇଁତଲାକୁ ଦିନିକିଆ ଗସ୍ତରେ ଉଚ୍ଚ ଶିକ୍ଷାମନ୍ତ୍ରୀ : ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଲେ ମନ୍ତ୍ରୀ

ସଇଁତଲା, (ଲକ୍ଷ୍ମୀକାନ୍ତ ସାହୁ) : ସଇଁତଲାକୁ ଦିନିକିଆ ଗସ୍ତରେ ଉଚ୍ଚ ଶିକ୍ଷାମନ୍ତ୍ରୀ । ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ନବୀନ ଛକ ଠାରେ ମନ୍ତ୍ରୀଙ୍କୁ ପ୍ରଥମେ ଫୁଲତୋଡ଼ା ଦେଇ ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦେବା ପରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ (ଏସ୍‌ଏସ୍‌ଡି)କୁ ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପରିଦର୍ଶନ କରିଥିଲେ । ଏହି ଅବସରରେ ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି, ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ମନ୍ତ୍ରୀଙ୍କ ଉକ୍ତ ସ୍କୁଲକୁ ପରିଦର୍ଶନ ଆସିବା ପରେ ସ୍କୁଲ ପକ୍ଷରୁ ଫୁଲତୋଡ଼ା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା । ପରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ହୋତାଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀଙ୍କ ଗସ୍ତକୁ ନେଇ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିବା ବେଳେ ସ୍କୁଲରେ ପାଣି ସମସ୍ୟା ଓ କ୍ରୀଡା ପାଇଁ ଖେଳ ପଡିଆର ଅଭାବ ଥିବା ନେଇ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ହୋତା ଅଭିଯୋଗ କରିଥିଲେ । ପରେ ମଞ୍ଚରେ ଭାଷଣ ନ ଦେଇ ମଞ୍ଚ ତଳକୁ ଯାଇ ଛାତ୍ରଛାତ୍ରୀଙ୍କ ପାଖକୁ ଆସିଥିଲେ ଓ ଗୁରୁମନ୍ତ୍ର ଦେଇଥିଲେ । ପ୍ରଥମେ ଛାତ୍ରୀ ମାନଙ୍କୁ ସ୍ୱପ୍ନ ଦେଖିବା କେବେ ଭୁଲିବ ନାହିଁ ସେହି ସ୍ୱପ୍ନକୁ ପୂରଣ କରିବାକୁ ଚେଷ୍ଟା କରିବା ସହ ତିନୋଟି କଥାକୁ କେବେ ମଧ୍ୟ ଭୁଲିବ ନାହିଁ ବୋଲି କହିଥିଲେ । ସେ ଗୁଡ଼ିକ ହେଲା ଜୀବନରେ ମା, ମାଟି ଓ ମାତୃଭାଷାର ନିହାତି ଆବଶ୍ୟକ ତା’ ସହ ସାହସ ଓ ଶୃଙ୍ଖଳା ମଣିଷକୁ ଅନେକ କାର୍ଯ୍ୟରେ କୃତକାର୍ଯ୍ୟ କରିପାରି ଥାଏ ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ । ପରେ ମା’ ପାଇଁ ଗଛଟିଏ ବୋଲି ସ୍କୁଲ ପରିସରରେ ବୃକ୍ଷ ରୋପଣ କରିଥିଲେ ଏବଂ ସ୍କୁଲର ସମସ୍ତ ସମସ୍ୟାକୁ ଖୁବ ଶୀଘ୍ର ପୂରଣ ହେବ ବୋଲି ପ୍ରତିଶୃତି ଦେଇଥିଲେ ।

Leave A Reply

Your email address will not be published.