ପିସ୍ତଲ ଧରି ଢାବାରେ ଦାଦାଗିରି କରିବା ପଡିଲା ମହଙ୍ଗା : ବାନ୍ଧିଲା ଖପ୍ରାଖୋଲ ପୋଲିସ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପିସ୍ତଲ ଧରି ଢାବାରେ ଦାଦାଗିରି କରିବା ପଡିଲା ମହଙ୍ଗା । ବେଆଇନ ଭାବେ ଦେଶୀ ପିସ୍ତଲ ରଖି ଦାଦାଗିରି କରୁଥିବା ଜଣେ ଯୁବକଙ୍କୁ ଗିରଫ କରିଛି ଖପ୍ରାଖୋଲ ପୁଲିସ । ଯୁବକଙ୍କଠାରୁ ଗୋଟିଏ ଦେଶୀ ପିସ୍ତଲ ୨ ଗୋଟି ଜୀବନ୍ତ ଗୁଳି ଜବତ କରାଯାଇଛି । ଏହି ଘଟଣାରେ ଖପ୍ରାଖୋଲ ଥାନାରେ ଏକ ମାମଲା ରୁଜୁ କରି ଯୁବକଙ୍କୁ ପାଟଣାଗଡ଼ କୋର୍ଟକୁ ଚାଲାଣ କରାଯାଇଛି । ସୂଚନା ଅନୁଯାୟୀ ଖପ୍ରାଖୋଲ ଥାନା ଅନ୍ତର୍ଗତ ମାଟିଖାଇ ଗାଁର ପବିତ୍ର ଚିରାଙ୍ଗୁଲ (୪୮) ମାଟିଖାଇ ସ୍ଥିତ ୟାଦବ ଢ଼ାବା ଠାରେ କାମ କରୁଥିବା ବାଙ୍କିବାହାଲ ଗ୍ରାମର ରୋହିତ ବାଗ ସହ କୌଣସି କଥାକୁ ନେଇ ବଚସା ଆରମ୍ଭ ହୋଇଥିଲା । ଏନେଇ ଅଭିଯୁକ୍ତ ପବିତ୍ର ଉତକ୍ଷିପ୍ତ ହୋଇ ନିଜ ପେଣ୍ଟରେ ଲୁଚାଇ ରଖିଥିବା ଦେଶୀ ପିସ୍ତଲ ବାହାର କରି ରୋହିତ ବାଗଙ୍କ ଛାତିରେ ଲଗାଇ ଦେଇ ଜୀବନରେ ମାରିଦେବାକୁ କହି ରୋହିତ ଠାରୁ ହଜାରେ ଟଙ୍କା ଛଡାଇ ନେଇଥିଲେ । ଏନେଇ ରୋହିତ ଖପ୍ରାଖୋଲ ଥାନାରେ ଲିଖିତ ଅଭିଯୋଗ କରିବାରୁ ପୋଲିସ ପବିତ୍ରକୁ ମାଟିଖାଇ ଗ୍ରାମରୁ ଗିରଫ କରିଥିବା ବେଳେ ଅଭିଯୁକ୍ତ ନିକଟରୁ ଗୋଟିଏ ପିସ୍ତଲ, ଦୁଇଟି ଜୀବନ୍ତ ଗୁଳି ଏବଂ ଗୋଟିଏ ମୋଟର ସାଇକଲ ମିଳିଥିଲା । ଅଭିଯୁକ୍ତକୁ ଥାନାକୁ ଆଣି ଅଧିକ ପଚରାଉଚରା କରାଯାଇଥିବା ବେଳେ ଏନେଇ ଖପ୍ରାଖୋଲ ଥାନା କେସ ନଂ ୨୪/୨୦୨୫ରେ ଧାରା ୩୦୯(୬) ବିଏନ୍‌ଏସ୍‌ ୨୫/୨୭ ଆର୍ମସ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତକୁ ପାଟଣାଗଡ଼ କୋର୍ଟ ଚାଲାଣ କରାଯାଇଥିବା ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ର ପ୍ରକାଶ କରିଛନ୍ତି । ଯୁବକଙ୍କ ଅପରାଧିକ ଯୋଜନା ଓ ପିସ୍ତଲର ଇତିହାସ ଜାଣିବାକୁ ପୋଲିସ ଚେଷ୍ଟା କରିବ କି ନାହିଁ ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.