ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ସକାଳ ପ୍ରାୟ ୯ଟା ସମୟରେ ରାଉରକେଲା ଟ୍ରାଫିକ ଗେଟ୍ ଅଞ୍ଚଳରେ ଗୁଳିମାଡ଼ ଘଟଣାରେ, ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତ ହୋଇଥିବା ଯୁବକଙ୍କ ନାମ ଆବେଧ ରାୟ । ଆବେଧ ରାୟ ରିଙ୍ଗ ରୋଡ୍ ପାରି ହେଉଥିବା ବେଳେ ଦୁଇ ଜଣ ଯୁବକ ଏକ ମୋଟର ସାଇକେଲରେ ଆସି ଗୁଳିମାଡ଼ କରିଥିଲେ । ଘଟଣାସ୍ଥଳରୁ ୨ ରାଉଣ୍ଡ ଗୁଳିର ଖୋକା ମିଳିଛି । ଗୁଳିମାଡ଼ ପରେ ଯୁବକ ଦୁଇ ଜଣ ସେହି ମୋଟର ସାଇକେଲରେ ଫେରାର ହୋଇ ଯାଇଥିଲେ । ଆବେଧ ରାୟଙ୍କୁ ତୁରନ୍ତ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍)କୁ ନିଆଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଇସ୍ପାତ ଜେନେରାଲ୍ ହସ୍ପିଟାଲ(ଆଇ ଜି ଏଚ୍)କୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଘଟଣା ସ୍ଥଳରେ ଡିଏସ୍ପି ନିର୍ମଳ ଚନ୍ଦ୍ର ମହାପାତ୍ର ଏବଂ ପ୍ଲାଣ୍ଟ ସାଇଟ୍ ଥାନା ଇନ୍ସପେକ୍ଟର ଜୟ ନାରାୟଣ ଖଣ୍ଡେଇ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ତେବେ ପ୍ରାଥମିକ ତଦନ୍ତରୁ ପ୍ରତିଶୋଧ ପାଇଁ ଏହି ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ ଯେ, ୧୯୯୭ ମସିହାରେ ଆବେଧ ରାୟର ମା’ଙ୍କୁ ହତ୍ୟା କରାଯାଇଥିଲା । ତାର ପ୍ରତିଶୋଧ ନେବାକୁ ୨୦୦୨ ମସିହାରେ ଆବେଧ ଏବଂ ତା’ର ସାଥୀ ଟ୍ରାଫିକ ଗେଟ୍ ମାର୍କେଟରେ ଭଗବାନ ସାହୁ ଏବଂ ଅନ୍ୟ ଜଣେ ପାଣିଗ୍ରାହୀ ନାମକ ଯୁବକଙ୍କୁ ହତ୍ୟା କରିଥିଲେ । ଆଜି ପୁଣି ଉକ୍ତ ହତ୍ୟାକାଣ୍ଡର ପ୍ରତିଶୋଧ ନେବାକୁ ଗୁଳି ମାଡ଼ ହୋଇଥିବା ଆବେଧ ରାୟଙ୍କ ଭାଇ ଏବଂ ଭଉଣୀ ଅଭିଯୋଗ କରିଛନ୍ତି । ତେବେ ପୋଲିସ ତଦନ୍ତ ପରେ ଘଟଣା ସମ୍ପର୍କରେ ସଠିକ୍ ତଥ୍ୟ ପଦାକୁ ଆସିବ ବୋଲି ସୂଚନା ଦେଇଛି ।