ଗୁଳିମାଡ଼ରେ ବନ କର୍ମଚାରୀଙ୍କ ମୃତ୍ୟୁ ଘଟଣା : ଶିକାରୀ ଗୁଳିରେ ଚାଲିଗଲା ଅସ୍ଥାୟୀ ବନ କର୍ମଚାରୀଙ୍କ ପ୍ରାଣ

ସଇଁନ୍ତଲା, (ଅଜିତ କୁମାର ସାହୁ) : କର୍ତ୍ତବ୍ୟ ଆଗ । ଜଙ୍ଗଲ ଭିତରେ ଦୁର୍ବୃତକୁ କାବୁ କରିବାକୁ ଯାଇ ଜୀବନ ଦେଲେ ଅସ୍ଥାୟୀ ବନ କର୍ମଚାରୀ । ତେବେ ଏଭଳି ଏକ ଛାତି ଥରା ଘଟଣା ଗତ ଶୁକ୍ରବାର ଦିନ ବିଳମ୍ବିତ ରାତିରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କରମତଲା ପଞ୍ଚାୟତ ରେଙ୍ଗାଲବାହାଲରେ ଘଟିଥିଲା । ଏହି ଘଟଣାରେ ଅସ୍ଥାୟୀ ବନ କର୍ମଚାରୀ ଯୁଗେଶ୍ଵର ବୁଡେକ ଜୀବନ ହରାଇଲେ । ଏ ସମ୍ପର୍କରେ ପୁଲିସ ଛାନ୍‌ଭିନ୍‌ ମଧ୍ୟ ଆରମ୍ଭ କରିଛି । ସୂଚନା ଯୋଗ୍ୟ ଯେ, ଗତ ଶୁକ୍ରବାର ରାତି ପ୍ରାୟ ୯ଟା ବେଳେ କରମତଲା ବିଟ୍‌ର ଫରେଷ୍ଟର୍‌ ସୁଧୀର ଜେନାଙ୍କ ସହିତ ମିଶି ଯୁଗେଶ୍ୱର ପାଟ୍ରୋଲିଂ ପାଇଁ ଯାଇଥିଲେ । ରେଙ୍ଗାଲବାହାଲ ଗାଁ ନିକଟରେ ଦୁଇ ତିନି ଜଣ ବ୍ୟକ୍ତି ବନ୍ଧୁକ ଧରି ଜଙ୍ଗଲକୁ ଯାଉଥିବା ସେମାନେ ଦେଖିଥିଲେ । ଏହା ପରେ ସେମାନେ ପାଟି କରିଥିଲେ ଓ ଉକ୍ତ ଲୋକମାନଙ୍କୁ ଧରିବାକୁ ଗୋଡ଼ାଇଥିଲେ ।  ସେହି ସମୟରେ ଦୁର୍ବୃତ୍ତମାନଙ୍କ ମଧ୍ୟରୁ କେହି ଜଣେ ଗୁଳି ଚଳାଇଥିଲା । ଯୁଗେଶ୍ୱରଙ୍କ ପେଟରେ ଗୁଳି ବାଜିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ସଇଁନ୍ତଲା ଡାକ୍ତରଖାନାକୁ ଅଣାଯାଇଥିଲା । ତେବେ ଡାକ୍ତରଖାନାକୁ ଗୁରୁତର ଅବସ୍ଥାରେ ଯୁଗେଶ୍ୱରଙ୍କୁ ପହଞ୍ଚାଇବା ପରେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ବଲାଙ୍ଗିର ଏସପି ନିତିନ କୁଶଳକର, ଟିଟିଲାଗଡ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀ, ସଇଁନ୍ତଲା ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ, ବଲାଙ୍ଗିର ଜିଲ୍ଲା ବନ ବିଭାଗ ଡିଏଫଓ ସମୀର ଶତପଥୀ, ସଇଁନ୍ତଲା ରେଞ୍ଜର ରାଜକିଶୋର ହରପାଲ ଓ ବଲାଙ୍ଗିର ସାଇଣ୍ଟିକଫିକ ଟିମ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲେ । ତେବେ ଏଭଳି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ମୃତକଙ୍କ ପରିବାର ଲୋକେ କ୍ଷତି ପୂରଣ ୧୦ ଲକ୍ଷ ଟଙ୍କା ଦାବୀ କରିଥିଲେ । ଅନ୍ୟପକ୍ଷରେ ଯୁଗେଶ୍ଵରଙ୍କ ଏଭଳି ସାହାସିକତାକୁ ନେଇ ଏବେ ପ୍ରଂସଶା ମଧ୍ୟ କରାଯାଉଛି । ବନ ବିଭାଗ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ବଲାଙ୍ଗିର ଡ଼ିଏଫଓ ସମୀର ଶତପଥୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.