ପୋଲିସ-ନକ୍ସଲ ଗୁଳିବିନିମୟ : ଏଏସ୍‌ଆଇ ଆହତ

ମାଲକାନଗିରି : ପୋଲିସ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ଜଣାପଡିଛି । ଏଥିରେ ଜଣେ ଏଏସ୍‌ଆଇ ଆହତ ହୋଇଛନ୍ତି । ସୂଚନାନୁଯାୟୀ, ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାର ତେରମ ଥାନା ଅଞ୍ଚଳରେ ଯବାନମାନେ କମ୍ବିଂ ଅପରେସନ ସାରି ବେସ୍‌ କ୍ୟାମ୍ପକୁ ଫେରୁଥିବା ସମୟରେ ପୂର୍ବରୁ ଛକି ବସିଥିବା ନକ୍ସଲମାନେ ଯବାନଙ୍କ ଉପରକୁ ପ୍ରଥମେ ଗୁଳିଚାଳନା କରିଥିଲେ । ପରେ ଯବାନମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ । ଏଥିରେ ରାଜେଶ ସୂର୍ଯ୍ୟବଂଶୀ ନାମକ ଜଣେ ପୋଲିସ ଏଏସ୍‌ଆଇ ଆହତ ହୋଇଛନ୍ତି । ସାଥୀ ଯବାନମାନେ ତାଙ୍କୁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣି ଚିକିତ୍ସା କରିବା ପରେ ତାଙ୍କୁ ଉତ୍ତମ ଚିକିତ୍ସା ପାଇଁ ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳକୁ କୋବ୍ରା ଓ ଏସ୍‌ଟିଏଫ୍‌ର ଯବାନମାନଙ୍କୁ ପଠାଯାଇଥିବା ନେଇ ବସ୍ତିର ଆଇଜି ସୁନ୍ଦର ରାଜ ପି ସୂଚନା ଦେଇଛନ୍ତି । ଅପରପକ୍ଷରେ ଛତିଶଗଡ଼ର ନାରାୟଣପୁର ଓ ଭାନୁପ୍ରତାପପୁର ଜିଲ୍ଲାରେ ମଧ୍ୟ ମାଓବାଦୀମାନେ ଉନ୍ନୟନମୂଳକ କାର୍ଯ୍ୟକୁ ବିରୋଧ କରି ଅନେକ ଗାଡ଼ି ମୋଟର ଜାଳିଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.