ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ଅନ୍ତର୍ଗତ ହୁମ୍ମା ଫାଣ୍ଡି ନିକଟବର୍ତ୍ତୀ ୧୬ ନମ୍ବର ଜାତୀୟ ରାଜପଥରେ ବୁଧବାର ରାତିରେ କିଛି ର୍ଦୁବୃତ୍ତ କାରରେ ଯାଉଥିବା କାଜୁ ବ୍ୟବସାୟୀ ଓ ସହଯୋଗୀଙ୍କୁ ବ୍ଲାଙ୍କ ଫାୟାରିଙ୍ଗ କରି ତାଙ୍କ ଠାରୁ ଏକ ବ୍ୟାଗ ଲୁଟିବାକୁ ଚେଷ୍ଟା କରୁଥିବା ଜଣାପଡିଛି । ଫାୟାରିଙ୍ଗର ଶିକାର ହୋଇଥିବା ବ୍ରହ୍ମପୁର ବଡ଼ ବଜାର ଥାନା ଅଞ୍ଚଳର କାଜୁ ବ୍ୟବସାୟୀ ଗୌରବ ସେଠୀ ଏନେଇ ହୁମା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଛତ୍ରପୁର ଏସଡିପିଓ ଗୌରହରୀ ସାହୁ, ରମ୍ଭା ଥାନା ଆଇଆଇସି ସତ୍ୟଜିତ ଭୁତୀୟା, ହୁମା ଫାଣ୍ଡି ଅଧିକାରୀ ଶୁଭ୍ରଜିତ ସାମନ୍ତରାୟ ପ୍ରମୁଖ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହ ଘଟଣା ସ୍ଥଳରୁ ଦୁଇଟି ଖୋକା ଗୁଳି ଓ ଜୋତା ଜବତ କରିଛନ୍ତି । ଏତଲାକୁ ଭିତ୍ତି କରି ପୋଲିସ କେସ ନଂ. ୭୭୩/୨୪ ମାମଲା ରୁଜୁ କରାଯାଇଛତ ବୋଲି ରମ୍ଭା ଥାନା ଅଧିକାରୀ ସତ୍ୟଜିତ ଭୁତୀୟା ସୂଚନା ଦେଇଛନ୍ତି । ଏଥିସହ ଅପରାହ୍ନରେ ସାଇବର ସାଇଣ୍ଟିଫିକ ଟିମ ମଧ୍ୟ ଘାଟଣା ସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁଯାଇ କାଜୁ ବେପାରୀ ଗୌରବ ତାଙ୍କର ୱେଷ୍ଟ ବେଙ୍ଗଲର ୩ଜଣ ସାଙ୍ଗ ଓ ବଡ଼ ବଡ଼ ବଜାର ଥାନା ଅଞ୍ଚଳର ୩ଜଣ ସାଙ୍ଗ ମିଶି କାରରେ ରମ୍ଭାକୁ ଭୋଜି କାର୍ଯ୍ୟକ୍ରମକୁ ଆସିଥିଲେ । ଫେରିଲା ବେଳେ ଏହି ଘଟଣା ଘଟିଥିଲା । ୨ଟି ବାଇକରେ ୪ଜଣ ମୁଖା ପିନ୍ଧା ର୍ଦୁବୁତ୍ତମାନେ ସେମାନଙ୍କୁ ପିଛା କରି ହୁମା ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥ ସର୍ଭିସ ରୋଡ଼ଠାରେ ଅଟକାଇ ବ୍ଲାଙ୍କ ଫାୟାରିଙ୍ଗ କରି ଭୟଭୀତ କରାଇଥିଲେ । ଫଳରେ କାରରେ ବସିଥିବା ଚାରିଜଣ ବ୍ୟକ୍ତି ସେଠାରୁ ଦୌଡ଼ି ପଳାଇଥିଲେ । ଘଟଣାର ସୁରାଗ ପାଇ ପୋଲିସ ପହଂଚି ସେମାନଙ୍କୁ ସେଠାରୁ ଉଦ୍ଧାର କରିଥିଲେ । କିଏ କେଉଁ ପରିସ୍ଥିତିରେ ଗୁଳି ଫୁଟାଇଛି ଟଙ୍କା ଲୋଭରେ କିମ୍ଵା ପୂର୍ବରୁ କଣ ଶତ୍ରୁତା ରହିଛି ତାହା ତଦନ୍ତ ପରେ ଜଣା ପଡିବ ବୋଲି ଏସଡିପିଓ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅନ୍ୟପଟେ ଗୌରବଙ୍କ ବ୍ରହ୍ମପୁରରେ ଏକ ଵେଦେଶୀ ମଦ ଦୋକାନ ଥିବା ହେତୁ ତାଙ୍କର କାହା ସହ ଶତ୍ରୁତା କାରଣରୁ ଏଭଳି ଘଟଣା ଘଟିଥାଏ ପାରେ ବୋଲି ମଧ୍ୟ ପୋଲିସ ଅନୁମାନ କରୁଛି । ତଦନ୍ତ ପରେ ପ୍ରକୃତ କାରଣ ଜଣା ପଡିବ ବୋଲି ରମ୍ଭା ଥାନା ପୋଲିସ ପକ୍ଷରୁ କୁହାଯାଇଛି ।
Next Post