ବେଆଇନ କାର୍ଯ୍ୟ ଉପରେ ଖବର ପ୍ରସାରଣ ପରେ ରେଂଜର୍‌ଙ୍କ ଗଣମାଧ୍ୟମର କଣ୍ଠରୋଧ କରିବାକୁ ଚେଷ୍ଟା, ଗୁଳି କରିବାକୁ ଧମକ

ପାଟଣାଗଡ, (ଅଜିତ କୁମାର ପୁରୋହିତ) : ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ହରିଶଙ୍କର ଠାରେ ଥିବା ଗନ୍ଧମାର୍ଦ୍ଦନ ଜଙ୍ଗଲ ଭିତରେ ବନବିଭାଗର ବେଆଇନ କାର୍ୟ୍ୟକଳାପ ଦେଖିବାକୁ ମିଳିଛି । ଜଙ୍ଗଲ ରାସ୍ତା ନିର୍ମାଣରେ ଫରେଷ୍ଟର ଏବଂ ରେଂଜର ନିଜ ଇଚ୍ଛା ମୁତାବକ ରାସ୍ତା ନିର୍ମାଣ କରିଛନ୍ତି । ସଂରକ୍ଷିତ ଜଙ୍ଗଲରୁ ବିନା ଅନୁମତିରେ ମାଟି ଉଠାଇ ରାସ୍ତା ନିର୍ମାଣ କରାଯାଇଛି । ମନରେଗା ଯୋଜନାରେ ହରିଶଙ୍କର ଠାରୁ ସାପମୁଣ୍ଡ ୧୫ କିମି ରାସ୍ତା କାମ ପାଇଁ ୧୩ ଲକ୍ଷ ୭୧ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି । ଏହି ରାସ୍ତା କାମକୁ ଶ୍ରମିକ ବଦଳରେ ଜେସିବି ଏବଂ ଟ୍ରାକ୍ଟରରେ ମାଟି ଉଠାଯାଇଥିବାରୁ ବଡ ବଡ ଗାତ ସୃଷ୍ଟି ହୋଇଛି । ଫଳରେ ଗନ୍ଧମାର୍ଦ୍ଦନ ଜଙ୍ଗଲରେ ଥିବା ଜୀବଜନ୍ତୁ ମଧ୍ୟ ବିପଦରେ ରହିଛନ୍ତି । ଜଙ୍ଗଲରେ ଅନେକ ଗଛ ଧ୍ୱଂସ ହେବା ସହ ବହୁମୂଲ୍ୟ ଔଷଧୀୟ ଗୁଳ୍ମଲତା ମଧ୍ୟ ନଷ୍ଟ ହୋଇଛି । ଏନେଇ ଅନେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଖବର ପ୍ରକାଶ ପରେ ବନବିବାଗ ତତ୍ପରତା ଦେଖାଇ ତଦନ୍ତ ଆରମ୍ଭ ମଧ୍ୟ କରିଥିବା ସୂଚନା ମିଳିଛି । ହରିଶଙ୍କର ଫରେଷ୍ଟର ପ୍ରିୟବ୍ରତ ମହାକୁଡ ଏବଂ ରେଂଜର ଶ୍ରୀବତ୍ସ କୁମୁରାଙ୍କୁ ବଲାଙ୍ଗିର ଡିଏଫ୍‌ଓ ନୀତିଶ କୁମାର ନିଜ କାର୍ୟ୍ୟାଳୟକୁ ଡାକି ପଚରା ଉଚରା କରିଛନ୍ତି ଏବଂ ଘଟଣାସ୍ଥଳ ପରିଦର୍ଶନ କରିବାକୁ ଗଣମାଧ୍ୟମକୁ କହିଛନ୍ତି । ଏହି ତଦନ୍ତ ହେବା ପରେ ଖପ୍ରାଖୋଲ ରେଂଜର ଶ୍ରୀବତ୍ସ କୁମୁରା ବିଚଳିତ ହୋଇ ପଡ଼ିଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ହତ୍ୟା ଧମକ ଦେଇଥିବା ଖପ୍ରାଖୋଲ ଥାନାରେ ଅଭିଯୋଗ ହୋଇଛି । ଜଂଗଲ ଅଧିକାରୀ କହିଛନ୍ତି ଯେ, ମୋ ଉପରେ ଆକ୍ସନ ହେଲେ କାହାକୁ ଛାଡିବିନି, ମୁଁ କ’ଣ କରିବି ମୁଁ ଜାଣିଛି, ଆଦିବାସୀ ଛୁଆ, ଚ୍ୟାଲେଞ୍ଜ କରି କହୁଛି ଯିଏ ମୋ ଉପରେ କାର୍ୟ୍ୟାନୁଷ୍ଠାନ କଲା ତାକୁ ଗୋଡାଇ ଗୋଡାଇ ମାରିବି । ଗଣମାଧ୍ୟମ ପ୍ରତିନିଧିଙ୍କୁ ମାରିବାକୁ ହତ୍ୟା ଧମକ ଦେଇଥିବା ସମ୍ପୂର୍ଣ୍ଣ ଅଡିଓ ଏବଂ ଭିଡିଓ ବର୍ତମାନ ଭାଇରାଲ ହେବାରେ ଲାଗିଛି । ତେବେ ଘଟଣାର ଫଲୋଅପ୍‌ ନ୍ୟୁଜ୍‌ ପାଇଁ ଯାଇଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ମିଥ୍ୟା ଆରୋପ ଆଣି ରେଂଜର ମଧ୍ୟ ଖପ୍ରାଖୋଲ ଥାନାରେ ମାମଲା ଦାୟାର କରିଥିବା ଜଣାପଡ଼ିଛି । ତେବେ ଉଭୟ ପକ୍ଷରୁ ଖପ୍ରାଖୋଲ ଥାନାରେ ମାମଲା ରୁଜ୍ଜୁ ହୋଇଥିବା ବେଳେ କାର୍ୟ୍ୟାନୁଷ୍ଠାନ ସଂପର୍କରେ ପାଟଣାଗଡ଼ ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତାଙ୍କୁ ପଚରା ଯିବାରୁ ସେ କହିଛନ୍ତି ଯେ, ତଦନ୍ତ ଜାରି ରହିଛି । ଉଭୟ ପକ୍ଷଙ୍କ ପ୍ରମାଣ ଆଧାରରେ ଆଇନ ଅନୁସାରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave A Reply

Your email address will not be published.