ସବକା ବୀମା ସବକୀ ରକ୍ଷା (ବୀମା ଆଇନ ସଂଶୋଧନ) ବିଲ୍, 2025 ସଂସଦରେ ଗୃହୀତ

• ବୀମା କମ୍ପାନୀଗୁଡ଼ିକରେ 100% ପର୍ଯ୍ୟନ୍ତ ଏଫଡିଆଇକୁ ଅନୁମତି
• ବୀମା ସୁରକ୍ଷାକୁ ଆହୁରି ଗଭୀର କରିବା, ବ୍ୟବସାୟିକ ସୁଗମତା ଯୋଗାଇ ଦେବା ଏବଂ ନିୟାମକ ତଦାରଖ ଓ ପ୍ରଶାସନରେ ସୁଧାର ଆଣିବ ଏହି ବିଲ୍
• ଏହାଦ୍ୱାରା ପୁଞ୍ଜି ବୃଦ୍ଧି କରିବା, ଉନ୍ନତ ପ୍ରଯୁକ୍ତିକୁ ଆପଣେଇବା ଏବଂ ବୀମା କ୍ଷେତ୍ରରେ ବିଶ୍ୱର ସର୍ବୋତ୍ତମ ବ୍ୟବସ୍ଥାଗୁଡ଼ିକର ଲାଭ ମିଳିପାରିବ
• ନାଗରିକଙ୍କ ପାଇଁ ଉତ୍ପାଦ ଏବଂ ସେବାରେ ଦକ୍ଷତା ଆଣିବା ଲାଗି ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବ
• ବିଦେଶୀ ରିଇନ୍ସ୍ୟୋରାନ୍ସ ଶାଖା ପାଇଁ ନେଟ୍ ଓନ୍ଡ୍ ପାଣ୍ଠି ଆବଶ୍ୟକତାକୁ 5,000 କୋଟିରୁ କମାଇ 1,000 ଟଙ୍କା କରି ଦିଆଯାଇଛି
• ପଲିସିଧାରକଙ୍କ ଶିକ୍ଷା ଏବଂ ସୁରକ୍ଷା ପାଣ୍ଠି, ପଲିସିଧାରକଙ୍କ ମଧ୍ୟରେ ବୀମା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ଏକ ସମର୍ପିତ ପାଣ୍ଠି

ନୂଆଦିଲ୍ଲୀ, (ପିଆଇବି) : ସବକା ବୀମା ସବକୀ ରକ୍ଷା (ବୀମା ଆଇନ ସଂଶୋଧନ) ବିଲ୍, 2025 17.12.2025ରେ ସଂସଦରେ ଗୃହୀତ ହୋଇଛି। ଏହି ବିଲ୍ ବୀମା କ୍ଷେତ୍ର ସହ ଜଡ଼ିତ ତିନୋଟି ପ୍ରମୁଖ ଆଇନରେ ସଂଶୋଧନ ଆଣିବ। ଏହି ଆଇନଗୁଡ଼ିକ ହେଲା- ବୀମା ଆଇନ, 1938, ଭାରତୀୟ ଜୀବନ ବୀମା ନିଗମ ଆଇନ, 1956 ଏବଂ ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ ଆଇନ, 1999 । ଏହି ବିଲ୍‌ର ଏକ ପ୍ରମୁଖ ବୈଶିଷ୍ଟ୍ୟ ହେଉଛି ବୀମା କମ୍ପାନୀଗୁଡ଼ିକରେ 100 ପ୍ରତିଶତ ପର୍ଯ୍ୟନ୍ତ ପ୍ରତ୍ୟକ୍ଷ ବିଦେଶୀ ନିବେଶକୁ ଅନୁମତି ଦେବା । ଏହା ଅଧିକ ବିଦେଶୀ କମ୍ପାନୀଙ୍କ ପାଇଁ ଭାରତରେ ପ୍ରବେଶ ଦ୍ୱାର ଖୋଲିବ । ଏହି ପଦକ୍ଷେପ ପୁଞ୍ଜି ବୃଦ୍ଧି କରିବା, ଉନ୍ନତ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରିବା ଏବଂ ବିଶ୍ୱସ୍ତରୀୟ ସର୍ବୋତ୍ତମ ଅଭ୍ୟାସଗୁଡ଼ିକୁ ସହଜ କରିବା ସହିତ ନିଯୁକ୍ତି ସୁଯୋଗ ବଢ଼ାଇବ । ପ୍ରତିଯୋଗିତା ବୃଦ୍ଧି ପାଇଲେ ଉତ୍ପାଦ ଏବଂ ସେବାରେ ଦକ୍ଷତା ବୃଦ୍ଧି ପାଇବ, ଯାହା ନାଗରିକମାନଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ ।
ମଧ୍ୟସ୍ଥ ବା ଇଣ୍ଟରମିଡିୟାରିଜଙ୍କ ପାଇଁ ଏକକାଳୀନ ଲାଇସେନ୍ସିଂ ଏବଂ ସମ୍ପୂର୍ଣ୍ଣ ଲାଇସେନ୍ସ ବାତିଲ କରିବା ବଦଳରେ ଲାଇସେନ୍ସ ସ୍ଥଗିତ କରିବାର ବ୍ୟବସ୍ଥା ନୂଆ ବିଲରେ ରହିଛି । ଯାହାଫଳରେ ବ୍ୟବସାୟିକ ସୁଗମତାକୁ ପ୍ରୋତ୍ସାହନ ମିଳିବ । ବୀମା କମ୍ପାନୀଗୁଡ଼ିକ ପାଇଁ ଶେୟାର ପୁଞ୍ଜି ହସ୍ତାନ୍ତର ଲାଗି ପ୍ରାକ୍ ନିୟାମକ ଅନୁମୋଦନର ସୀମା 1 ପ୍ରତିଶତରୁ ବଢ଼ାଇ 5 ପ୍ରତିଶତ କରି ଦିଆଯାଇଛି । ବିଦେଶୀ ରିଇନ୍ସ୍ୟୋରାନ୍ସ ଶାଖା ପାଇଁ ନିଟ୍ ମାଲିକାନା ପାଣ୍ଠି ଆବଶ୍ୟକତା 5,000 କୋଟିରୁ 1,000 କୋଟି ଟଙ୍କାକୁ ହ୍ରାସ କରାଯାଇଛି । ଏହା ବ୍ୟତୀତ, ଏଲଆଇସିକୁ ଦେଶରେ ଆଞ୍ଚଳିକ କାର୍ଯ୍ୟାଳୟ ଖୋଲିବା ଏବଂ ନିଜର ବିଦେଶୀ କାର୍ଯ୍ୟାଳୟଗୁଡ଼ିକୁ ସମ୍ପୃକ୍ତ ଦେଶର ଆଇନ ଏବଂ ନିୟମାବଳୀ ଅନୁରୂପ ପ୍ରସ୍ତୁତ କରିବା ପାଇଁ ସ୍ୱାୟତ୍ତ କ୍ଷମତା ପ୍ରଦାନ କରାଯାଇଛି ।
ପଲିସିଧାରକଙ୍କ ହିତ ରକ୍ଷା ନିମନ୍ତେ ବୀମା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ପଲିସିଧାରକ ଶିକ୍ଷା ଏବଂ ସୁରକ୍ଷା ପାଣ୍ଠି ନାମକ ସ୍ୱତନ୍ତ୍ର ପାଣ୍ଠି ବ୍ୟବସ୍ଥା କରାଯିବ । ଏଣିକି ପଲିସିଧାରକଙ୍କ ତଥ୍ୟ ଡିପିଡିପି ଆଇନ 2023 ଅନୁରୂପ ଏକତ୍ର ଏବଂ ସଂରକ୍ଷିତ କରିବା ବାଧ୍ୟତାମୂଳକ ହେବ ।
ନିୟମାବଳୀ ପ୍ରସ୍ତୁତ ପାଇଁ ମାନକ କାର୍ଯ୍ୟ ପ୍ରଣାଳୀ ପ୍ରଚଳନ ସହିତ ପରାମର୍ଶଦାତା ପ୍ରକ୍ରିୟାକୁ ବାଧ୍ୟତାମୂଳକ କରି ନିୟାମକ ପ୍ରଶାସନକୁ ସୁଦୃଢ଼ କରାଯାଉଛି । ବୀମା କମ୍ପାନୀ ଏବଂ ମଧ୍ୟସ୍ଥମାନେ ହାସଲ କରିଥିବା ଅନୁଚିତ ଲାଭକୁ ଅସୁଲ କରିବାର କ୍ଷମତା ମଧ୍ୟ ଆଇଆରଡିଏଆଇକୁ ପ୍ରଦାନ କରାଯାଇଛି । ଏଥିସହିତ ଦଣ୍ଡ ବ୍ୟବସ୍ଥାକୁ ତର୍କସଂଗତ କରାଯାଉଛି ଏବଂ ଜୋରିମାନା ଲାଗି କରିବାର ମାନଦଣ୍ଡକୁ ପରିଭାଷିତ କରାଯାଉଛି ।
ସାଧାରଣ ଲୋକ, ପରିବାର ଏବଂ ଉଦ୍ୟୋଗ ପର୍ଯ୍ୟନ୍ତ ବୀମା ସୁରକ୍ଷା ବିସ୍ତାର କରିବା, ବ୍ୟବସାୟିକ ସୁଗମତାକୁ ପ୍ରୋତ୍ସାହନ ଦେବା ଏବଂ ନିୟାମକ ତଦାରଖ ଏବଂ ପ୍ରଶାସନରେ ସୁଧାର ଆଣିବା ଏସବୁ ସଂସ୍କାରର ଉଦ୍ଦେଶ୍ୟ । ଏ ସମସ୍ତ ଉପାୟ ଭାରତୀୟ ବୀମା କ୍ଷେତ୍ରକୁ ମଜବୁତ କରିବ, ଯାହା ଫଳରେ ଭାରତୀୟ ଅର୍ଥବ୍ୟବସ୍ଥାର ବିତ୍ତୀୟ ସ୍ଥିତି ମଜବୁତ ହେବ ।

Leave A Reply

Your email address will not be published.