ଗୁଡ଼ଭେଲା, (କେପିଏନ୍ଏସ୍) : ବହୁ ପ୍ରତୀକ୍ଷିତ ଗୁଡଭେଲା ଗ୍ରୀଡ୍କୁ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ ଓ ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ ଉଦ୍ଘାଟନ କରିଛନ୍ତି । ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକର ୬ଟି ପଞ୍ଚାୟତବାସୀଙ୍କ ବିଦ୍ୟୁତ ସମସ୍ୟା ଦୂର କରିବା ପାଇଁ ୨୦୧୪ ମସିହାରେ ଗୁଡଭେଲାଠାରେ ଗ୍ରୀଡ କାମ ଆରମ୍ଭ ହୋଇଥିଲା । ଏହି ଗ୍ରୀଡକୁ ସମ୍ପୂର୍ଣ୍ଣ କରିବା ପାଇଁ ଦୀର୍ଘ ୯ ବର୍ଷ ଲାଗିଗଲା । ଅନେକ ଥର ଅଞ୍ଚଳବାସୀ ଜିଲ୍ଲାପାଳ ଏବଂ ସ୍ଥାନୀୟ ମନ୍ତ୍ରୀ ଟୁକୁନୀ ସାହୁଙ୍କୁ ଗ୍ରୀଡ କାମ ସମ୍ପୂର୍ଣ୍ଣ ହେଉନଥିବାରୁ ଲିଖିତ ଅଭିଯୋଗ କରିଥିଲେ । ମନ୍ତ୍ରୀ ଏବଂ ଜିଲ୍ଲାପାଳ ଶୀଘ୍ର କାମ ସମ୍ପୂର୍ଣ୍ଣ କରିବା ପାଇଁ ଠିକାଦାରଙ୍କୁ ଅନେକ ଥର ତାଗିଦ୍ କରିଥିଲେ । ଅନେକ ବାଦ ବିବାଦ ପରେ ଆଜି ମନ୍ତ୍ରୀ ଟୁକୁନୀ ସାହୁ ଏବଂ ସାଂସଦ ସଂଗୀତା ସିଂଦେଓ ଯୋଗଦେଇ ଏହି ଗ୍ରୀଡକୁ ଉଦ୍ଘାଟନ କରିଛନ୍ତି । ଏହି ଗ୍ରୀଡରୁ ଗୁଡଭେଲା, ଜାମୁଟ, ଦେଉଲଗୁଡି ଏବଂ ବଗବାହାଲ ୪ଟି ଫିଡର୍କୁ ବିଦ୍ୟୁତ ସଂଯୋଗ କରାଯିବ । କିନ୍ତୁ ପୁରାପୁରି ଭାବେ କାମ ସମ୍ପୁର୍ଣ୍ଣ ହୋଇ ନଥିବାରୁ ବର୍ତ୍ତମାନ ଗୁଡଭେଲା ଏବଂ ଜାମୁଟ ଗ୍ରୀଡକୁ ଏଠାରୁ ବିଦ୍ୟୁତ ସଂଯୋଗ କରାଯାଇଛି ଏବଂ ଆହୁରି ୧୦ ଦିନ ଭିତରେ କାମ ସମ୍ପୂର୍ଣ୍ଣ କରାଯାଇ ଦେଉଲଗୁଡି ଏବଂ ବଗବାହାଲ ଗ୍ରୀଡକୁ ବିଦ୍ୟୁତ ସଂଯୋଗ କରାଯିବ ବୋଲି ବିଭାଗୀୟ ଏଡିଏମ୍ ମହେନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ଏହି ଉଦ୍ଘାଟନ ସମାରୋହରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଟୁକୁନୀ ସାହୁ, ସମ୍ମାନିତ ଅତିଥି ଭାବେ ଲୋକସଭା ସାଂସଦ ସଂଗୀତା ସିଂହଦେଓ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ଅଧ୍ୟକ୍ଷ ଚିନ୍ମୟ ସାହୁ, ତୁଷୁରା ଏନ୍ଏସି ଚେରମେନ ଅଜୟ ଜୟଶ୍ୱାଲ, ବିଡ଼ିଓ ଗୁରେଶ୍ଵର ଭୋଇ, ତହସିଲଦାର ରବିନ୍ଦ୍ର କୁମାର ପଟେଲ, ମନ୍ତ୍ରୀଙ୍କ ନୋମିନୀ ନିରୋଦ ନାଗ, ଛବି ସାହୁଙ୍କ ସମେତ ଅନେକ ବିଜେଡି ଓ ବିଜେପି କର୍ମୀ ଯୋଗଦାନ କରିଥିବା ବେଳେ ଅଂଚଳବାସୀ ମଧ୍ୟ ଯୋଗ ଦେଇଥିଲେ ।
Prev Post